କାନପୁର: ଖେଳୁଖେଳୁ ଅକାଳରେ ଲିଭିଗଲା ଛାତ୍ରଙ୍କ ଜୀବନ ଦୀପ । କଲେଜ ଗ୍ରାଉଣ୍ଡରେ ସାଙ୍ଗମାନଙ୍କ ସହିତ କ୍ରିକେଟ ଖେଳୁଥିଲେ । ରନ୍ ନେବା ପାଇଁ ପିଚ୍ରେ ଦୌଡିବା ସମୟରେ ଛାତ୍ର ଜଣକ ହୃଦଘାତର ଶିକାର ହୋଇଥିଲେ। ପରେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏଭଳି ଦୁଃଖଦ ଘଟଣା ଘଟିଛି। ଛାତ୍ର ଜଣକ ବିଲହରର ଦଶମ ଶ୍ରେଣୀର ଛାତ୍ର ଅନୁଜ କୁମାର ପାଣ୍ଡେ ବୋଲି ଜଣା ପଡ଼ିଛି ।
ଅନୁଜ ବୁଧବାର ଦ୍ବିପ୍ରହରରେ ବିଲହର ଇଣ୍ଟର କଲେଜ ଗ୍ରାଉଣ୍ଡରେ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁଥିଲେ । ହେଲେ କିଏ ଜାଣିଥିଲା ତାହା ଜୀବନର ଶେଷ ଖେଳ ହେବ ବୋଲି । କ୍ରିକେଟ ଖେଳୁ ଅନୁଜ ହଠାତ୍ ହୃଦଘାତର ଶିକାର ହୋଇଥିଲେ । ସେତେବେଳେ ସେ ପିଚ୍ରେ ରନ୍ ନେବା ପାଇଁ ଦୌଡୁଥିଲେ। ହଠାତ୍ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ତାଙ୍କ ସାଙ୍ଗମାନେ ତାଙ୍କ ଚେତା ଫେରି ଆସିବା ପାଇଁ କିଛି ସମୟ ଅପେକ୍ଷା କରିଥିଲେ । କିନ୍ତୁ ଅନୁଜଙ୍କର ଚେତା ଫେରି ନଥିଲା ।
ଏହା ପରେ ତାଙ୍କ ସାଙ୍ଗମାନେ ତାଙ୍କ ପରିବାର ଲୋକଙ୍କୁ ଏ ବାବଦରେ ଖବର ଦେଇଥିଲେ । ଏହାପରେ ଅନୁଜଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ଅନୁଜ ଦୌଡୁଥିବା ବେଳେ ତାଙ୍କ ହୃତପିଣ୍ଡ୍ ଉପରେ ଚାପ ପଡ଼ିଥିଲା । ଯାହା ଫଳରେ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡିଥିଲେ । ଏହାପରେ ତାଙ୍କର ମୃତ୍ୟୁ ହୋଇଛି ।