ରାୟପୁର: ଛତିଶଗଡ଼ ରାଜଧାନୀରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ସାମାନ୍ୟ ବଚସାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପିଟି ହତ୍ୟା କଲେ ଅନ୍ୟ ଛାତ୍ରଗୋଷ୍ଠୀ । ରାଜଧାନୀର ଖମତରାଇ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ ଛାତ୍ର ସେହି ଅଞ୍ଚଳର ମୋହନ ସିଂହ ବୋଲି ଜଣାପଡ଼ିଛି ।
ଖମତରାଇ ଶିବାଜୀ ନଗର ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ ମୋହନ । ତେବେ ଦଶମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ସେ ସ୍ଥାନୀୟ କାଶୀରାମ ମାଧ୍ୟାମିକ ବିଦ୍ୟାଳୟକୁ ଯାଇଥିଲେ । ପରୀକ୍ଷା ଦେଇ ଫେରିବା ପରେ ଏକାଦଶ ଶ୍ରେଣୀର କିଛି ଛାତ୍ର ତାଙ୍କୁ ଇଂରାଜୀରେ କିଛି ପ୍ରଶ୍ନ କରିଥିଲେ । ତେବେ ଜବାବ ନଦେବାରୁ ତାଙ୍କୁ ଅଚାନକ ମାରପିଟ କରିବା ଆରମ୍ଭ କରି ଦେଇଥିଲେ । ଫଳରେ ବେହୋସ ହୋଇ ଯାଇଥିଲେ ମୋହନ ।
ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ପୋଲିସ ଜଣେ ନାବାଳକକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି । ଏଥିରେ ଆଉ ୩ରୁ ୪ ଜଣ ଛାତ୍ରଛାତ୍ରୀ ସାମିଲ ଥିବା ନେଇ ଖବର ପାଇଛି ପୋଲିସ । ଘଟଣାକୁ ଗମ୍ଭୀରତାର ସହ ନେଇ ଯାଞ୍ଚ ଆରମ୍ଭ କରିଛି ପୋଲିସ । ମୋହନଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।