ଗାନ୍ଧୀନଗର: ସୁରତ ମାସ୍କ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ହୋଇଥିବା ବେଳେ ୪୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି( ସୋମବାର) ସକାଳୁ ସକାଳୁ ସୁରତର ୱାରେଲି ଗାଁରେ ଥିବା ଏକ ମାସ୍କ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।
ସୂଚନା ଅନୁସାରେ, ଫ୍ୟାକ୍ଟ୍ରିରେ ଅଚାନକ ନିଆଁ ଲାଗିଥିଲା । ଫଳରେ କାରଖାନାରେ ପାଖାପାଖି 200 ଶ୍ରମିକ ଫସି ଯାଇଥିଲେ । ନିଆଁ ଲାଗିଥିବା ଦେଖି ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଓ 108 ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସାହାଯ୍ୟରେ ଫସି ରହିଥିବା ଶ୍ରମିକ ମାନଙ୍କୁ 4 ମହଲାରୁ ଉଦ୍ଧାର କରିଛନ୍ତି । ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ ସାରା ପରିବେଶ ଧୂଆଁମୟ ହୋଇଯାଇଥିଲା । ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୨୫ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ