ରାୟପୁର: ନକ୍ସଲ ପ୍ରବଣ ଛତିଶଗଡ ବିଜାପୁରରେ ପୁଣି ଲାଲବାହିନୀର ନାରକୀୟ କାଣ୍ଡ ଦେଖିବାକୁ ମିଳିଛି । ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଘର ସାମ୍ନାରେ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି ନକ୍ସଲ । ହତ୍ୟାର ଶିକାର ହୋଇଥିବା ବିଜେପି ନେତା ହେଲେ ନୀଳକଣ୍ଠ କକ୍କେମ ଓ ସେ ଉସୁର ମଣ୍ଡଳର ବିଜେପି ସଭାପତି ଥିଲେ । ହତ୍ୟାକାଣ୍ଡକୁ ରୂପ ଦେବା ପରେ ସେମାନଙ୍କ କର୍ତ୍ତୃତ୍ବ ଜାହିର କରିବା ପାଇଁ ଘଟଣାସ୍ଥଳରେ ପାମ୍ପଲେଟ୍ ଫିଙ୍ଗି ଚାଲିଯାଇଛନ୍ତି ନକ୍ସଲ । ସେମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଉକ୍ତ ପାମ୍ପଲେଟରେ ଉଲ୍ଲେଖ ରହିଛି । ଏପରି ଘଟଣା ପରେ ପୁଣି ଥରେ ବିଜାପୁର ଅଞ୍ଚଳରେ ନକ୍ସଲ ଆତଙ୍କ ଦେଖାଦେଇଛି ।
ପରିବାର ଲୋକଙ୍କ ସୂଚନା ଅନୁସାରେ ନୀଳକଣ୍ଠ ପ୍ରାୟ 15 ବର୍ଷ ହେବ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ବ ତୁଲାଇଆସୁଥିଲେ । ଗତକାଲି ତାଙ୍କ ଶାଳୀଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିଜ ପୈତୃକ ଗ୍ରାମ ଆଭାପାଲ୍ଲୀ ଯାଇଥିଲେ । କୌଣସି ସୂତ୍ରରୁ ଖବର ପାଇଁ ଆଭାପାଲ୍ଲୀ ଗ୍ରାମରେ ସଶସ୍ତ୍ର ନକ୍ସଲଙ୍କ ଏକ ଟିମ୍ ପହଞ୍ଚିଥିଲା । ସେମାନେ ନୀଳକଣ୍ଠକୁ ଘରୁ ଡାକି ପରିବାର ସଦସ୍ୟଙ୍କ ସମ୍ମୁଖରେ ହିଁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ । ଉକ୍ତ ସ୍ଥାନରେ ମୃତଦେହ ନିକଟରେ ହାତଲେଖା ଲିଫଲେଟ୍ ଏବଂ ପାମ୍ପଲେଟ ଫିଙ୍ଗି ନକ୍ସଲ ଫେରାର ହୋଇଯାଇଥିଲେ । ସୂଚନା ପାଇ ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବା ନେଇ ପୋଲିସ କହିଛି । ଏକ ମାମଲା ଦାଏର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ ପାଟ୍ରୋଲିଂ ମଧ୍ୟ ଆରମ୍ଭ କରିବା ନେଇ ସୂଚନା ମିଳିଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ପୋଲିସ ସହ ସୁରକ୍ଷାବଳର ଯବାନ ମଧ୍ୟ ଗ୍ରାମରେ ପହଞ୍ଚିଛନ୍ତି ।
ସମଗ୍ର ଦେଶରେ ନକ୍ସଲ ବିରୋଧୀ ଅପରେସନକୁ ଜୋରଦାର କରାଯାଉଥିଲେ ସୁଦ୍ଧା ଛତିଶଗଡର ବିଜାପୁର ଗତ ଦଶନ୍ଧି ଧରି ଲାଲବାହିନୀର ଅଭେଦ୍ଯ ଗଡ ଭାବେ କୁଖ୍ୟାତି ଅର୍ଜନ କରିଛି । ଅତୀତରେ ଏହି ଠାରେ ହିଁ ସୁରକ୍ଷାବଳ ଉପରେ ଏକାଧିକ ବଡ ଆକ୍ରମଣ କରିଛନ୍ତି ନକ୍ସଲ । ସେହିପରି ଉକ୍ତ ଅଞ୍ଚଳରେ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ନକ୍ସଲ ହତ୍ୟା କରିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଦୁଇ ବର୍ଷ ପୂର୍ବେ ମଧ୍ୟ ଦୁଇ ସ୍ଥାନୀୟ ବିଜେପି ନେତା ମଜଜୀ ଓ ଯୁବ ନେତା ଜଗଦୀଶ କୋଣ୍ଡ୍ରାଙ୍କୁ ଅତି ବିଭତ୍ସ ଭାବେ ନକ୍ସଲ ହତ୍ୟା କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ