ହାଇଦ୍ରାବାଦ: ଆତଙ୍କୀ ସଂଗଠନ ତାଲିବାନ ହାତକୁ ଆଫଗାନିସ୍ତାନ ଯିବାପରେ ଲଗାତାର ସେଠାରୁ ହିନ୍ଦୁ ଓ ସିଖ୍ ସମୁଦାୟଙ୍କ ପଳାୟନ ଜାରି ରହିଛି । ଗୁରୁବାର ଏକ ସ୍ବତନ୍ତ୍ର ବିମାନ ଯୋଗେ ୨୧ ଜଣ ସିଖ୍ ସମ୍ପ୍ରଦାୟର ବ୍ୟକ୍ତି ପଞ୍ଜାବ ଆସି ପହଞ୍ଚିବେ । ବାଲା ପ୍ରୀତମ ସେବା ସମାଜ ସଭାପତି ଏହାକୁ ନେଇ ସୂଚନା ଦେଇଛନ୍ତି ।
ତାଲିବାନ ଶାସନ ପରେ ଆଫାଗାନିସ୍ତାନରେ ସ୍ଥିତି ଅଶାନ୍ତ ରହିଛି । କିଛି ଦିନ ପୂର୍ବରୁ କାବୁଲ୍ରେ ଥିବା ଇ-ପରୱାନ୍ ଗୁରୁଦ୍ବାରରେ କିଛି ଆତଙ୍କୀ ବିସ୍ଫୋରଣ କରିଥିଲେ । ଏହାପରେ ସେଠାରେ ଥିବା ସିଖ୍ ସମ୍ପ୍ରଦାୟଙ୍କ ମଧ୍ୟରେ ଭୟର ବାତାବରଣ ରହିଛି । ଯେତେ ଶୀଘ୍ର ସମ୍ଭବ ଆଫଗାନିସ୍ତାନରେ ଥିବା ଶିଖ୍ ଦେଶ ଛାଡ଼ିବାକୁ ଚାହୁଁଛନ୍ତି ।
ଗୁରୁବାର ଆଫଗାନିସ୍ତାନରୁ ସିଖ୍ ସମୁଦାୟ ଆସି ପହଞ୍ଚିବା ପରେ ସେମାନଙ୍କୁ ପଞ୍ଜାବର ଗୁରୁ ଅର୍ଜନ ଦେବ ଗୁରୁଦ୍ବାର, ତିଲକ ନଗର ଓ ଦିଲ୍ଲୀରେ ଥିବା ଗୁରୁଦ୍ବାରକୁ ନିଆଯିବ । ସୂଚନା ମୁତାବକ ଏବେବି ସେଠାରେ ମୋଟ ୧୩୫ ସିଖ୍ ଓ ହିନ୍ଦୁ ଭାରତ ଆସିବାକୁ ଭିସା ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ଜଣଙ୍କ ଆବେଦନ ପତ୍ରକୁ ଭାରତ ସରକାରଙ୍କ ଅନୁମତି ମିଳିନାହିଁ ।