ଭୋପାଳ: ମଧ୍ୟପ୍ରଦେଶର ମଣ୍ଡଳ ଜିଲ୍ଲାରେ ଅଭାବନୀୟ ଘଟଣା । ମେଳାରେ ଗୁପଚୁପ ଖାଇ ୯୭ଜଣ ଅସୁସ୍ଥ । ମଣ୍ଡଳ ଜିଲ୍ଲାର ସିଙ୍ଗରପୁର ଗ୍ରାମରେ ଗତ ଶନିବାର ଆୟୋଜିତ ଏକ ମେଳାରେ ଅନେକ ଲୋକ ସାମିଲ ହୋଇଥିଲେ । ସେଠାରେ ଥିବା ଏକ ଗୁପଚୁପ ଦୋକାନରୁ ସମସ୍ତେ ଗୁପଚୁପ ଖାଇବା ପରେ ବିଳମ୍ବିତ ରାତିରେ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଏହା ପରେ ଏକା ସାଙ୍ଗରେ ପ୍ରାୟ ୯୭ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ଡାକ୍ତରଙ୍କ ସୂଚନା ଅନୁଯାୟୀ ଗୁପଚୁପ ଖାଇବାପରେ ପେଟରେ ଯନ୍ତ୍ରଣା ଓ ବାନ୍ତି ହେବାରୁ ଅନେକ ଲୋକ ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ପ୍ରାୟ ୩୩ଜଣ ଛୋଟ ପିଲା ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏକ ଡାକ୍ତରୀ ଟିମ୍ ସେମାନଙ୍କୁ ଚିକିତ୍ସା କରୁଛନ୍ତି । ଏନେଇ ଅଭିଯୋଗ ପରେ ମୋହଗାଓଁ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଏସଏଲ ମାର୍କମ ଗୁପଚୁପ ଦୋକାନିକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ।