ରାୟପୁର: ଛତିଶଗଡରେ ଲଜ୍ଜା । ବାନ୍ଧବୀକୁ ଦୁଷ୍କର୍ମ କଲା ବିବାହିତ ଯୁବକ । ଏଭଳି ଅଭିଯୋଗ ଆସିଛି ଦନ୍ତେଓ୍ବାଡା ଜିଲ୍ଲାର ବଚେଲୀ ଥାନା ଅଞ୍ଚଳରୁ । ଏନେଇ ପରିବାର ଲୋକେ ବଚେଲୀ ଥାନାରେ ଅଭିଯୋଗ କରିବା ପରେ ଯୁବକଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ୨୪ ତାରିଖ ମଧ୍ୟାହ୍ନ ପର ଠାରୁ ଝିଅ କୁଆଡେ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ପରିବାର ଲୋକେ ୨୫ ତାରିଖ ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ପଦ୍ମପୁରର ମୋବାଇଲ୍ ଟାୱାର ନିକଟରେ ଚେତାଶୂନ୍ୟ ଅବସ୍ଥାରେ ପାଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ, ଦୁଷ୍କର୍ମ ଏବଂ ମୁଣ୍ଡରେ ଆଘାତ ଲାଗିବା କାରଣରୁ ତାଙ୍କର ମୃତ୍ୟୁ ହୋଇଛ । ଏହାପରେ ପରିବାର ଲୋକଙ୍କ ତରଫରୁ ଥାନାରେ ଅଭିଯୋଗ କରାଯାଇଥିଲା ।
ବଚେଲୀ ଥାନା ଅଧିକାରୀ ଗୋବିନ୍ଦ ୟାଦବ କହିଛନ୍ତି,"କଡମପାଲର ବାସିନ୍ଦା ବୁଦ୍ଧ୍ରୁ ଓୟାମି ଏବଂ ବିଜୁ ରାମ ଓୟାମି ମିଶି ଯୁବତୀଙ୍କୁ ନେଇ ଦୁଷ୍କର୍ମ କରିଛନ୍ତି । ଏହାପରେ ତାଙ୍କୁ ଏକ ସ୍ଥାନରେ ଛାଡି ଚାଲିଯାଇଥିଲେ । ଅଭିଯୋଗ ଅନୁସାରେ ଆମେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛୁ । ତେବେ ପ୍ରଥମେ ଅଭିଯୁକ୍ତମାନେ ସତ ମାନିନଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ସବୁ ସତ ମାନିଥିଲେ । "
ଏହା ମଧ୍ୟ ପଢନ୍ତୁ: Heeraben Modi Passes Away: ୧୦୦ ବର୍ଷ ବୟସରେ ମୋଦିଙ୍କ ମାଆଙ୍କ ଦେହାନ୍ତ
ଏହି ଘଟଣାକୁ ନେଇ ଅଭିଯୁକ୍ତ ବୁଦ୍ଧ୍ରୁ ଓୟାମି ପୋଲିସକୁ କହିଛି," ମୁଁ ଜଣେ ବିବାହିତା । କିନ୍ତୁ ଆମ ଅଞ୍ଚଳର ଏହି ୨୨ ବର୍ଷୀୟ ଯୁବତୀଙ୍କ ସହ ମୋର ସମ୍ପର୍କ ରହିଥିଲା । ଗତ ୨୪ ତାରିଖରେ ମୁଁ ତାଙ୍କୁ ଦେଖା କରିବା ପାଇଁ ଡାକିଥିଲି । ଏହାପରେ ମୁଁ ମୋର ବନ୍ଧୁ ରାମ ସହ ମିଶି ସ୍ଥାନୀୟ ଏକ ଜଙ୍ଗଲକୁ ଯାଇଥିଲୁ । ସେଠାରେ ସମସ୍ତେ ମିଶି ମଦ ପିଇଥିଲୁ । ଯୁବତୀଜଣକ ଅତ୍ୟଧିକ ପିଇବା ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ । ଆମେ ତାଙ୍କୁ ବାଇକରେ ବସାଇବା ପାଇଁ ଚେଷ୍ଟା କରୁଥିବା ବେଳେ ସେ ବାଇକରୁ ପଡିଯାଇଥିଲେ ।"
ତେବେ ଏହାପରେ ଥାନା ଅଧିକାରୀ କହିଛନ୍ତି, "ଯୁବତୀଜଣକ ଅଚେତ ହେବାର ସୁଯୋଗ ନେଇ ସେମାନେ ଦୁଷ୍କର୍ମ କରିଥିଲେ । ଏହାପରେ ପୀଡିତାକୁ ଛାଡି ଚାଲିଯାଇଥିଲେ । ପରିବାର ଲୋକେ ଦେଖିବା ପରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃ୍ତ୍ୟୁ ହୋଇଥିଲା ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ