ନୂଆଦିଲ୍ଲୀ: ମାନବିକତା ହରାଉଛି ମନୁଷ୍ୟ । ଘଟାଇ ଚାଲିଛି ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡ । ପ୍ରତିଦିନ ପ୍ରତିଦିନ କେଉଁଠି ନା କେଉଁଠି ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ପଶୁଙ୍କୁ ଦୁଷ୍କର୍ମ କରିବାକୁ ପଛାଉ ନାହାନ୍ତି କିଛି ଅମାନୁଷିକ ବ୍ୟକ୍ତି । ଦିଲ୍ଲୀରେ ଏକ ବୁଲା କୁକୁରକୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀର ହରି ନଗର ଅଞ୍ଚଳରେ ଏପରି ଲଜ୍ଜାଜନକ ଘଟଣା ଘଟିଥିବା ଜଣାପଡିଛି ।
ଭାଇରାଲ ଭିଡିଓରେ କେହି ଜଣେ ବ୍ୟକ୍ତି କୁକୁରକୁ ଦୁଷ୍କର୍ମ କରୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଥିଲେ । ଭିଡିଓକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ନାହିଁ ପୋଲିସ ।
ଗତବର୍ଷ ଅଗଷ୍ଟ ମାସରେ ମହାରାଷ୍ଟ୍ର ପୁଣେରେ କୁକୁରକୁ ଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଏନେଇ ଜଣେ ବୃଦ୍ଧଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣା ଜଣାପଡିବା ପରେ ବୃଦ୍ଧଙ୍କ ଏପରି ଘୃଣ୍ୟ ମାନସିକତାକୁ ସ୍ଥାନୀୟ ଲୋକେ ଘୋର ନିନ୍ଦା କରିଥିଲେ । ବୃଦ୍ଧ ଜଣକ କୁକୁରକୁ ନିଜ ଘରକୁ ଖାଦ୍ୟ ଦେବା ବାହାନାରେ ପାଖକୁ ଡାକି ନେଇ ଦୁଷ୍କର୍ମ କରୁଥିବା ପଡୋଶୀ ଦେଖିଥିଲେ । ଏହାପରେ ପଡୋଶୀ ଜଣଙ୍କ ମୋବାଇଲରେ ଏହି ଦୃଶ୍ୟକୁ କଏଦ କରିଥିଲେ । ଥାନାରେ ଅଭିଯୋଗ ପରେ ଶେଷରେ ବୃଦ୍ଧ ଜଣଙ୍କୁ ପୋଲିସ ଗିରଫ କରିଥିଲା ।
ସେହିପରି 2021 ଅକ୍ଟୋବର ମାସରେ ହରିୟାଣାର ଗୁରୁଗ୍ରାମରେ ଏକ କୁକୁରକୁ ଜଣେ 67 ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ପଡିଶା ଘରର 2ଟି କୁକୁର ଘରେ ଖେଳୁଥିବା ବେଳେ ଏକ ମାଇ କୁକୁରକୁ ପ୍ରଲୋଭନ ଦେଖାଇ ନିଜ ଘରକୁ ନେଇଆସି ବୃଦ୍ଧ ଜଣଙ୍କ ଦୁଷ୍କର୍ମ କରିଥିଲା । କୁକୁରର ଚିତ୍କାର ଶୁଣି ତାର ମାଲିକ ଘଟଣାସ୍ଥଳରେ ପହଞ୍ଚିବା ପରେ ବୃଦ୍ଧ ଜଣଙ୍କ ଅସ୍ବାଭାବିକ କାର୍ଯ୍ୟରେ ଲିପ୍ତ ଥିବା ଦେଖିବାକୁ ପାଇଥିଲେ । ଏହାର ଏକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ପୋଲିସ ବୃଦ୍ଧ ଜଣଙ୍କୁ ଗିରଫ କରିଥିଲା ।
ଗତ ଶନିବାର ବିହାରର ଗୟାରେ ଜଣେ 10 ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ତିନି ନାବାଳକ ନାବାଳିକା ଜଣଙ୍କୁ ଗଣଦୁଷ୍କର୍ମ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ପୀଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।