ହାଇଦ୍ରାବାଦ: ତେଲେଙ୍ଗାନାରେ ଚାଞ୍ଚଲ୍ୟ । ପାରିବାରିକ କଳହ ଯୋଗୁଁ ସାତଜନ୍ମର ସାଥି କରିବା ପାଇଁ କଥା ଦେଇଥିବା ସ୍ତ୍ରୀକୁ ଗୋଟିଏ ଜନ୍ମରେ ସଂସାରରୁ ଦୂର କରିଦେଲା ସ୍ବାମୀ । ସ୍ତ୍ରୀ ଦେହରେ ସାନିଟାଇଜର ଢାଳି ନିଆଁ ଲଗାଇଦେଲା ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମେଡଚଲ ପୋଲିସ ଷ୍ଟେସନ ଅଞ୍ଚଳରୁ । ଘଟଣା ସମୟର ପୁରା ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ପିଶାଚ ପିତାଙ୍କ ବିରୋଧରେ ଥାନାରେ ଏତଲା ଦେଲା ଝିଅ ।
ସୂଚନାଅନୁସାରେ, ମେଡଚଲ ପୋଲିସ କ୍ଷେତ୍ର ଅଞ୍ଚଳରେ ଥିରୁନାଗରି ନରେନ୍ଦ୍ର, ସ୍ତ୍ରୀ ନାଭ୍ୟା ଶ୍ରୀ ଏବଂ ତାଙ୍କ ଦୁଇଝିଅ ମେଘନା ଏବଂ ଚନ୍ଦନା ରହୁଥିଲେ । ଦୁହେଁ ହସ ଖୁସିରେ ଜୀବନ ବିତାଉଥିଲେ । ହେଲେ ପାରିବାରିକ କଳହ ପରିବାରରକି ଛାରଖାର କରିଦେଲା । ଗତ ୧୮ ତାରିଖରେ କୌଣସି ଏକ କାରଣ ପାଇଁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହାକୁ ନେଇ ଦେବତା କୁହାଯାଉଥିବା ସ୍ବାମୀ ପିଶାଚ ପାଲଟିଗଲା । ସୁନାର ସଂସାର କ୍ଷଣିକ ମଧ୍ୟରେ ଚୁନା ହୋଇଗଲା । ନିଜ କ୍ରୋଧକୁ ସହ୍ୟ କରିନପାରି ସ୍ତ୍ରୀ ଉପରେ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିଲା । ଦୁଇଝିଅ ବାପାଙ୍କୁ ରୋକିବା ପାଇଁ ଶତ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ପିଶାଚ ସାଜିଥିବା ବାପା ଶୁଣିନଥିଲା । ତେବେ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ନାଭ୍ୟାଙ୍କୁ ଉଦ୍ଧାର କରିଥିଲେ ।
ଏହାପରେ ତାଙ୍କ ଝିଅ ପୋଡଶୀଙ୍କ ସାହାଯ୍ୟ ନେଇ ମାଆଙ୍କୁ ଉଦ୍ଧାର କରି ଗାନ୍ଧି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ନାଭ୍ୟାଙ୍କୁ ବଞ୍ଚାଇବା ପାଇଁ ମଧ୍ୟ ଡାକ୍ତର ଆପ୍ରାଣ ଉଦ୍ୟମ କରିଥିଲେ । କିନ୍ତୁ ୨୦ଦିନ ଜୀବନ ମରଣ ସହ ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଛନ୍ତି ନାଭ୍ୟା । ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଡାକ୍ତର କହିଥିଲେ । ଏନେଇ ନାଭ୍ୟାଙ୍କ ଦୁଇ ଝିଅ ବାପାଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଚନ୍ଦନା ଏବଂ ମେଘା ସ୍ଥାନୀୟ ପୋଲିସ ଷ୍ଟେସନରେ ବାପାଙ୍କ ବିରୋଧରେ ଏତଲା ଦାଖଲ କରିଛନ୍ତି । ପୋଲିସ ଅଭିଯୋଗ ମୁତାବକ ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାର ସମ୍ପୁର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି । ନରେନ୍ଦ୍ର ନାଭ୍ୟାଙ୍କ ଉପରେ ସାନିଟାଇଜର ଢାଳି ପୋଡିଦେଇଥିବା ନେଇ ସିସିଟିଭି କ୍ୟାମେରାରେ କଏଦ ଭିଡିଓରେ ସ୍ପଷ୍ଟ ଜଣାପଡୁଥିବା ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ