ଥିରୁଅନନ୍ତପୁରମ: ସମ୍ପ୍ରତି ଅନଲାଇନ ସପିଂକୁ ଆଦରି ଚାଲିଛନ୍ତି ଯୁବପିଢିଙ୍କଠୁ ଆରମ୍ଭ କରି ବୟୋଜ୍ୟେଷ୍ଠ । ଦୋକାନକୁ ଯିବା ଅପେକ୍ଷା ଘରେ ବସି ନିଜ ମନପସନ୍ଦ ସାମଗ୍ରୀକୁ ଅନଲାଇନରେ ଅର୍ଡର କରୁଛନ୍ତି ଲୋକେ । ତେବେ ଏହି ଅନଲାଇନ ସପିଂକୁ ନେଇ କେରଳର ୱାୟାନାଡ଼ରୁ ଆସିଛି ଏକ ରୋଚକପୂର୍ଣ୍ଣ ଘଟଣା । ଜଣେ ଗ୍ରାହକ ଆମାଜନରୁ ପାସପୋର୍ଟ ପାଇଁ ପାଉଚ୍ ମଗାଇଥିବା ବେଳେ ତାଙ୍କ ନିକଟରୁ ଡେଲିଭରି ହୋଇଛି ପାଉଚ୍ ସହିତ ଏକ ଅରିଜିନାଲ ପାସପୋର୍ଟ । ଯାହାକି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳ ସମେତ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ୱାୟାନାଡ଼ କନିୟାମପଟ୍ଟା ବାସୀ ମିଧୁନ ବାବୁ ଗତ ଅକ୍ଟୋବର ୩୦ ତାରିଖରେ ଅନଲାଇନ ସପିଂ ପ୍ଲାଟଫର୍ମ 'ଆମାଜନ୍'ରୁ ପାସପୋର୍ଟ ପାଉଚ୍ ମଗାଇଥିଲେ । ତେବେ ଏହି ଅର୍ଡର ନଭେମ୍ବର ୧ ତାରିଖରେ ତାଙ୍କ ନିକଟରେ ପହଞ୍ଚି ଯାଇଥିଲା । କିନ୍ତୁ ବକ୍ସଟିକୁ ଖୋଲି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇପଡିଥିଲେ ମିଧୁନ । କାରଣ ବକ୍ସରେ ପାସପୋର୍ଟ ପାଉଚ୍ ସହିତ ଥିଲା ଅରିଜିନାଲ ପାସପୋର୍ଟ । ତେବେ ତାଙ୍କ ଅର୍ଡରରେ କିପରି ଏହି ଅରିଜିନାଲ ପାସପୋର୍ଟଟି ଡେଲିଭର ହୋଇଛି ସେ ତାହାର କୌଣସି ଟେର ପାଇନଥିଲେ ।
ତେବେ ଏହି ପାସପୋର୍ଟଟି ଥ୍ରିସୁର ଜିଲ୍ଲା କୁନ୍ନମକୁଲାମ ଅଞ୍ଚଳରେ ଜଣେ ୧୭ ବର୍ଷର ଯୁବକଙ୍କର ବୋଲି ଜଣାପଡ଼ିଛି । ତେବେ ମିଧୁନ ଏହି ପାସପୋର୍ଟକୁ ଉକ୍ତ ଯୁବକଙ୍କୁ ହସ୍ତାନ୍ତର କରିଛନ୍ତି । ପୋଲିସ ଏହି ୧୭ ବର୍ଷର ଯୁବକଙ୍କ ସହିତ ଯୋଗାଯୋଗ କରିବା ପରେ ଆମାଜନ ବକ୍ସରେ ଅରିଜିନାଲ ପାସପୋର୍ଟ ପହଞ୍ଚିବାର ରହସ୍ୟ ସମ୍ପର୍କରେ ଜଣାପଡ଼ିଛି ।
ଡେଲିଭରି ବକ୍ସରେ ଅରିଜିନାଲ ପାସପୋର୍ଟ ପହଞ୍ଚିବାର ରହସ୍ୟ:-
ଏହି ଯୁବକଙ୍କ ପିତା ଆମାଜନରୁ ଏକ ପାସପୋର୍ଟ ପାଉଚ ମଗାଇଥିଲେ । କିନ୍ତୁ ପାଉଚ୍ଟି ଛୋଟ ହେବାରୁ ସେ ଏହାକୁ ଆମାଜନକୁ ଫେରାଇ ଦେଇଥିଲେ । କିନ୍ତୁ ରିଟର୍ଣ୍ଣ କରିବା ପୂର୍ବରୁ ସେ ଏହି ପାଉଚ୍ରୁ ନିଜ ପୁଅର ପାସପୋର୍ଟକୁ ବାହାର କରିବା ପାଇଁ ଭୁଲି ଯାଇଥିଲେ । ଫଳରେ ଭୁଲବଶତଃ ଅରିଜିନାଲ ପାଉଚ୍ଟି ଆମାଜନ ନିକଟରୁ ଚାଲିଯାଇଥିଲା । ଯେତେବେଳେ ମିଧୁନ ପାସପୋର୍ଟ ପାଉଚ୍ ଅର୍ଡର କରିଥିଲେ, ସେତେବେଳେ ଆମାଜନ ସମାନ ପାଉଚ୍କୁ ମିଧୁନଙ୍କ ନିକଟକୁ ପଠାଇଥିଲା ।
ତେବେ ପୋଲିସ ଏହି ପରିବାରକୁ ଯୋଗାଯୋଗ କରିବା ପରେ ଅରିଜିନାଲ ପାସପୋର୍ଟକୁ ପୋଲିସ ଷ୍ଟେସନରୁ ସଂଗ୍ରହ କରିବା ପାଇଁ କହିଛି । ଏହାସହିତ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଦେଖାଇବା ପାଇଁ ମଧ୍ୟ କହିଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ