ହାଇଦ୍ରାବାଦ: ସାଧାରଣତଃ କଲମ ସମସ୍ତେ ବ୍ୟବହାର କରନ୍ତି । ବଜାରରେ ବିଭିନ୍ନ ଡିଜାଇନର କଲମ ଆପଣ ଦେଖିଥିବେ । କିନ୍ତୁ ୨୮ ଫୁଟ ଉଚ୍ଚତାର କଲମ କେବେ ଦେଖିଛନ୍ତି କି ? ତେଲେଙ୍ଗାନା ରାଜ୍ୟ ୱାରଙ୍ଗଲ ଜିଲ୍ଲାର ଚେନ୍ନାରାଓପେଟ ଅଞ୍ଚଳର କୁଦୁରୁପାକା ଜଗଦୀଶ୍ବର ଏହି ବିଶାଳ ପେନ ତିଆରି କରିଛନ୍ତି । ଯାହା ୱାର୍ଲ୍ଡ ୱାଇଡ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛି । ଏହି ୨୮ ଫୁଟର ବିଶାଳକାୟ କଲମ ତିଆରି କରି କୁଦୁରୁପାକା ଜଗଦୀଶ୍ବର ଅଞ୍ଚଳରେ ବେଶ ପ୍ରଶଂସା ସାଉଁଟିଛନ୍ତି ।
କୁଦୁରୁପାକା ଜଗଦୀଶ୍ବର ଜଣେ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରେ ସେ ଅଷ୍ଟମ ଶ୍ରେଣୀରୁ ପାଠ ଛାଡ଼ିଦେଇଛନ୍ତି । ସ୍କୁଲ ଛାଡ଼ିବା ପରେ ସେ ସୁନା କାରିଗର ଭାବେ କାମ କରି ପରିବାର ଚଳାଉଥିଲେ । ପରିବାର ଚଳାଇବା ପାଇଁ ଅନ୍ୟ କିଛି କାମ କରିବାକୁ ମନସ୍ଥ କରିଥିଲେ । ପ୍ରଥମେ ସେ ଏକ ଇଲେକ୍ଟ୍ରିକ ବାଇକ ତିଆରି କରିଥିଲେ । ମାତ୍ର ସେଥିରେ ୩ ଲକ୍ଷ ଟଙ୍କାର କ୍ଷତି ପାଇବା ଯୋଗୁଁ ତାହା ବନ୍ଦ କରିଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: Milk cess on liquor: ହିମାଚଳରେ ମହଙ୍ଗା ହେଲା ମଦ, ପ୍ରତି ବୋତଲ ଉପରେ ୧୦ଟଙ୍କା କ୍ଷୀର ଟ୍ୟାକ୍ସ
ଦଶବର୍ଷ ପୂର୍ବେ କୁଦୁରୁପାକା ଜଗଦୀଶ୍ବରଙ୍କ ପରିବାର ନର୍ସମପେଟ ଅଞ୍ଚଳରେ ରହୁଥିଲେ । ଘରି ଛାଡ଼ିବା ପରେ ସେଠାରେ ପଡ଼ିଥିବା କାଠ ଖଣ୍ଡରେ ସେ ଏକ କଲମ ତିଆରି କରିବାକୁ ମନସ୍ଥ କଲେ । ଏହି କାଠ ଖଣ୍ଡରେ ୨୮ ଫୁଟ ଉଚ୍ଚତାର ବିଶାଳକାୟ କଲମ ତିଆରି କରି ସେ ୱାର୍ଲ୍ଡ ୱାଇଡ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି । ଏହି ୨୮ ଫୁଟ କଲମର ଓଜନ ପ୍ରାୟ ୮୦ କିଲୋଗ୍ରାମ ହେବ । ଏହା ତିଆରି କରିବା ପାଇଁ କୁଦୁରୁପାକା ଜଗଦୀଶ୍ବର ୨୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ୱାର୍ଲ୍ଡ ୱାଇଡ ବୁକ ଅଫ ରେକର୍ଡ୍ସରେ ସ୍ଥାନିତ କରାଯାଇଛି । ଗତ ଜାନୁୟାରୀ ୨୬ରେ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଦୃଢ଼ ଇଚ୍ଛାଶକ୍ତି ଆଗରେ ଦାରିଦ୍ର୍ୟ ସର୍ବଦା ହାର ମାନିଥାଏ । ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି କୁଦୁରୁପାକା ଜଗଦୀଶ୍ବର । ତାଙ୍କର ଏହି ସଫଳତା ପାଇଁ ସେ ବହୁତ ଖୁସି ଥିବା କହିଛନ୍ତି । ଆଗାମୀ ଦିନରେ ମଧ୍ୟ ଏଭଳି ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି କୁଦୁରୁପାକା ଜଗଦୀଶ୍ବର ।