ଚଣ୍ଡିଗଡ଼: ଆଜିକାଲି ନାନା ରକମର ଅଜଣା ରୋଗରେ ଆକ୍ରାନ୍ତ ହେଉଛି ମଣିଷ । ବୈଜ୍ଞାନିକଙ୍କ ମତରେ ଆମେ ଖାଉଥିବା ଫଳ ଓ ପନିପରିବା ଏହାର ମୂଳ କାରଣ । ଅଧିକାଂଶ ଚାଷୀ ଅଧିକ ଫସଲ ଆଶାରେ ପେଷ୍ଟିସାଇଡର ବ୍ୟବହାର କରୁଛନ୍ତି । ଫସଲରେ ଲାଗୁଥିବା ପୋକରୁ ମୁକ୍ତି ପାଇବା ପାଇଁ ଚାଷୀମାନେ ମଧ୍ୟ ଅନ୍ୟ କିଛି ପନ୍ଥା ନପାଇ ଶେଷରେ ରାସାୟନିକ ସାର ବା ପେଷ୍ଟିସାଇଡ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଯାହାର ପରିଣାମ ଚାଷୀ ସହ ଲୋକଙ୍କୁ ଭୋଗିବାକୁ ପଡ଼ୁଛି । କିନ୍ତୁ ଏହାର ଏକ ଉତ୍ତମ ଆଧୁନିକ ବିକଳ୍ପ ଉପାୟ ଖୋଜି ବାହାର କରିଛନ୍ତି, ହରିୟାଣା କର୍ଣ୍ଣଲ ଜିଲ୍ଲା ନସୀରପୁର ଗାଁର ଚାଷୀ ଜଗତରାମ । ଏହି ବିକଳ୍ପ ଯୋଗୁଁ ସେ କେବେ ଫସଲରେ ରସାୟନିକ ପଦାର୍ଥ ବ୍ୟବହାର କରିବେ ନାହିଁ ବୋଲି ପଣ କରିଛନ୍ତି । ଆଜକୁ ୧୩ ବର୍ଷ ପୂର୍ବେ ସେ ଆରମ୍ଭ କରିଥିଲେ ଜିରୋ ବଜେଟ ଚାଷ । ଯାହାଫଳରେ ଆଜି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ଏହି କାର୍ଯ୍ୟ ସେ ଲାଭ ପାଇବା ନୁହେଁ କିଛି ବାଟ ନପାଇବାରୁ ଆରମ୍ଭ କରିଥିଲେ । ଜଗତରାମଙ୍କ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଠିକ ରହୁନଥିଲା । କିନ୍ତୁ ବର୍ତ୍ତମାନ ସବୁ ଠିକ ଅଛି । ବର୍ତ୍ତମାନ ଏଥିରୁ ସେ ଲାଭ ମଧ୍ୟ ପାଇବାରେ ଲାଗିଛନ୍ତି ।
ଜଗତରାମଙ୍କ ପାଖରେ ଅନେକ ଜିରୋ ବଜେଟ ଫାର୍ମିଂର ମଡେଲ ଦେଖିବାକୁ ମିଳିଯାଏ । ଏଠାରେ ସବୁ କାମ ଜୈବିକ ଉପାୟ ଓ ଡ୍ରିପ ଟେକ୍ନିକରେ କରାଯାଏ । ଯାହା ସବୁ ରହଛି ସବୁ ଅର୍ଗାନିକ । ଡ୍ରିପ ଟେକ୍ନିକ ଦ୍ବାରା ପାଣି ସିଞ୍ଚନ କରାଯାଉଛି ।
ଚାଷୀମାନଙ୍କୁ ଜିରୋ ବଜେଟ ଫାର୍ମିଂ ବିଷୟ ବତାଇଥାନ୍ତି ଜଗତରାମ । କିଛି ନହେଲେ ବି ନିଜେ ଖାଇବା ପାଇଁ କରିଥିବା ଫସଲ ଜୈବିକ ଉପାୟରେ କରିବାକୁ ସେ ଉତ୍ସାହିତ କରନ୍ତି ।
ଜଗତରାମଙ୍କ ଜମିରେ ବିଭିନ୍ନ ପ୍ରକାର ଫଳ ପନିପରିବା ଓ ଡାଲି ଜାତୀୟ ଫସଲ ଆପଣ ଦେଖିବାକୁ ମିଳେ । ଯେକୌଣସି ଚାଷୀ ଏହି ଉପାୟରେ ଚାଷ କଲେ ନିଶ୍ଚିତ ଲାଭବାନ ହେବେ ବୋଲି କହିଛନ୍ତି ଜଗତରାମ । ସେ କୁହନ୍ତି ଯେ, ତାଙ୍କ ପରିବାର ଲୋକେ ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇଥିଲେ । ଡାକ୍ତର କହିଲେ ଏହି ରୋଗର ମୂଳ କାରଣ ହେଉଛି ପେଷ୍ଟିସାଇଡ ଯୁକ୍ତ ପନିପରିବା । ଏସବୁକୁ ଦୃଷ୍ଟରେ ରଖି ଜଗତରାମ ପେଷ୍ଟିସାଇଡ ମୁକ୍ତ ଚାଷ କରିବାକୁ ଶପଥ ନେଇଥିଲେ ।
ଅଧିକାଂଶ ଲୋକେ ଜୈବିକ ଖାଦ୍ୟ ଖାଇବା କଥା କୁହନ୍ତି । କିନ୍ତୁ ଏହାକୁ ଖାଇବା ଲୋକ ବହୁତ କମ୍ । କେତେ ଚାଷୀ ଜୈବିକ ଫସଲ କରୁଛନ୍ତି ତାହା ମଧ୍ୟ ସ୍ପଷ୍ଟ ନୁହେଁ । ଚାଷୀଙ୍କୁ ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡ଼େ । କିନ୍ତୁ ଏହି ଫସଲ ଖାଇବାକୁ ଲୋକ ବହୁତ କମ ଅଛନ୍ତି । ପେଷ୍ଟିସାଇଡ ଯୁକ୍ତ ଚାଷରେ ଖର୍ଚ୍ଚ ଅଧିକ ହେଉଥିବା ବେଳେ ଲାଭ କମ୍ ହୁଏ । ସେପଟେ ଜୈବିକ ଉପାୟରେ ଖର୍ଚ୍ଚ କମ ହେଉଥିବା ଲାଭ ଅଧିକ ହୋଇଥାଏ ।
ଜୈବିକ ଉପାୟରେ ଚାଷ ଦ୍ବାରା ପ୍ରକୃତି ସହ ଯୋଡ଼ି ହୋଇ କାର୍ଯ୍ୟ କରିବାର ସୁଯୋଗ ମିଳେ । ଏଥିରେ ମନକୁ ଶାନ୍ତି ମିଳେ । ଯଦି ଆପଣ ଚାଷ ଶିଖିବାକୁ ଚାହାନ୍ତି ତେବେ ଜୈବିକ ଉପାୟରେ ଚାଷ କରି ପରିବାରକୁ ଏହାର ଫସଲ ଦିଅନ୍ତୁ । ଛୋଟ ଧରଣରଏଭଳି ଚାଷ କରିବା ଆରମ୍ଭ କରନ୍ତୁ । ଧୀରେଧୀରେ ଲୋକ ଜାଣିବା ପରେ ଏହାକୁ ବଡ଼ ଆକାରରେ କରନ୍ତୁ ପରାମର୍ଶ ଦେଇଛନ୍ତି ଜଗତରାମ ।
ଜଗତରାମ ୧୩ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ ଜିରୋ ବଜେଟ ଫାର୍ମିଂ । ବର୍ତ୍ତମାନ ସେ ପ୍ରାୟ ୨ ଏକର ଜମିରେ କରୁଛନ୍ତ ଜୈବିକ ଉପାୟରେ ଚାଷ କାର୍ଯ୍ୟ । ଏଥିରୁ ପ୍ରତି ମାସରେ ଏକ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ