ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଶାପାଲିରେ ଗୋଟି ଚଳାଇ ବାଜି ଜିତିବା ପରେ ଏବେ ସାରା ଦେଶରେ ଖେଳା କରିବା ମୁଡ୍ରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦିଦିଙ୍କ ଦିଲ୍ଲୀ ଗସ୍ତ ଦେଶର ରାଜନୀତିକୁ ଦୋହଲାଇ ଦେଇଛି । ରାଜଧାନୀରେ ପାଦ ରଖି ଜାତୀୟ ରାଜନୀତିର ମୈଦାନରେ ନିଜ ମାଟି ମଜବୁତ କରିବା ସହ ମିଶନ ୨୦୨୪ର ଗତି ବଢାଇଛନ୍ତି ଦିଦି ।
ଗତ ୫ ଦିନରେ ଦିଲ୍ଲୀ ଗସ୍ତ ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ତମାମ ରାଜନେତାଙ୍କ ସହ ବୈଠକ କରିଛନ୍ତି ମମତା । ଏହାପରେ ସେ କରିଛନ୍ତି ବଡ ଘୋଷଣା । ଆଗାମୀ ୨ ମାସରେ ଥରେ ଦିଲ୍ଲୀ ଆସିବେ ବୋଲି କହିଛନ୍ତି ଦିଦି । ତାଙ୍କର ଏହି ଘୋଷଣା ୨୦୨୪ ମିଶନର ପ୍ରସ୍ତୁତି ନେଇ ସଙ୍କେତ ବୋଲି ଅନୁମାନ କରାଯାଉଛି । ମୋଦିଙ୍କୁ ମାତ ଦେବାକୁ ବିରୋଧୀ କ୍ରମାଗତ ଚେହେରା ଖୋଜିବାରେ ଲାଗିଥିବାବେଳେ ଦିଦିଙ୍କର ଏହି ଦିଲ୍ଲୀ ଗସ୍ତ ରଜାନୀତିରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ଗଣତନ୍ତ୍ର ଜୀବିତ ରହିବା ଜରୁରୀ | ଏହାସହ 'ଗଣତନ୍ତ୍ର ବଞ୍ଚାଅ, ଦେଶ ବଞ୍ଚାଅ'ର ନାରା ଦେଇଛନ୍ତି ଦିଦି । ପ୍ରତି ମାସରେ ଥରେ ଦିଲ୍ଲୀ ଆସିବେ ବୋଲି କହିଛନ୍ତି ମମତା । କିଛି ଦିନ ପୂର୍ବରୁ ମମତା କହିଥିଲେ ଯେ ବିଜେପିକୁ ପରାସ୍ତ କରିବାକୁ ସମଗ୍ର ବିରୋଧୀଙ୍କୁ ଏକଜୁଟ ହେବାକୁ ପଡିବ।