ଶୀତ କମି କମି ଆସିବା ସହିତ ନନ୍ଦିଗ୍ରାମର ତେଖାଲି ମଇଦାନରେ ସକାଳୁ ସକାଳୁ ଭିଡ଼ ଜମାଇଥିବା ଲୋକେ, ସେହି ବ୍ୟକ୍ତି ଜଣଙ୍କ କଥା ଶୁଣିବାକୁ ଅପେକ୍ଷା କରୁଛନ୍ତି, ଯାହାଙ୍କୁ କି ସେମାନେ 2011 ମସିହାରେ, ଆକ୍ଷରିକ ଅର୍ଥରେ କ୍ଷମତାର ଶୀର୍ଷରେ ପହଞ୍ଚାଇ ଦେଇଥିଲେ ।
ଯେଉଁ ଦଳ ସହିତ ସେମାନଙ୍କ ଭୂମିପୁତ୍ରର ପରିଚୟ ସଦାସର୍ବଦା ଅଙ୍ଗାଙ୍ଗୀଭାବେ ଜଡ଼ିତ ଥିଲା, ସେହି ଦଳରୁ ତାଙ୍କର ପ୍ରସ୍ଥାନ ପରେ ସେମାନେ ଏବେ ଉତ୍କଣ୍ଠିତ ହୃଦୟରେ ଅପେକ୍ଷା କରୁଛନ୍ତି ।
ପକ୍ଷ ପରିବର୍ତ୍ତନ କରି ବିଜେପିରେ ଯୋଗଦାନ ସହିତ ତୃଣମୂଳ କଂଗ୍ରେସରୁ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରସ୍ଥାନ ପରେ ତୃଣମୂଳ କଂଗ୍ରେସର ତୃଣମୂଳ ସ୍ତରର କର୍ମୀଙ୍କ ପାଇଁ ଏକ ପ୍ରକାର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଏବଂ ସମସ୍ତଙ୍କ ନଜର ଲାଖି ରହିଛି ନନ୍ଦିଗ୍ରାମର ସେଇ ମଞ୍ଚ ଉପରେ, ଯେଉଁଠାରୁ କି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି ।
ଏବଂ ନିଶ୍ଚିତ ଭାବରେ ସେମାନଙ୍କୁ ଆଦୌ ନିରାଶ କଲେ ନାହିଁ ତୃଣମୂଳ ସୁପ୍ରିମୋ । ବାସ୍ତବରେ, ତୃଣମୂଳ କଂଗ୍ରେସ ପାଇଁ ନନ୍ଦିଗ୍ରାମରେ ଥମି ଆସୁଥିବା ଶୀତର ପ୍ରକୋପକୁ ସେ ପୁଣି ଜାଗୃତ କରାଇବାରେ ସଫଳ ହେଲେ ଏବଂ ଅଚାନକ ଏକ ସୁଦୂରପ୍ରସାରୀ ଓ ଆକର୍ଷଣୀୟ ନିଷ୍ପତ୍ତି ବଳରେ ସେଠାରେ ଜମିଥିବା ଲୋକଙ୍କ ଭିଡ଼ ଭିତରେ ଉନ୍ମାଦନା ଭରିଦେଲେ । ତାହା ଥିଲା ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମ ବିଧାନସଭା ଆସନରୁ ସେ ପ୍ରତିଦ୍ବନ୍ଦ୍ବିତା କରିବାର ନିଷ୍ପତ୍ତି ।
ତେଖାଲି ମଇଦାନରୁ ଆରମ୍ଭ କରି କୋଲକାତାର ଚା’ ଦୋକାନ ଏବଂ କ୍ଲବ୍ ଘର ପର୍ଯ୍ୟନ୍ତ, ଶୁଭେନ୍ଦୁ ଅଧିକାରୀଙ୍କ ଦଳତ୍ୟାଗ ପରେ ପ୍ରଥମ ଥର ପାଇଁ ନନ୍ଦିଗ୍ରାମରେ ମମତାଙ୍କ ଭାଷଣ ଶୁଣିବାକୁ ବ୍ୟଗ୍ରତାର ସହିତ ଅପେକ୍ଷାରତ ସବୁ ସ୍ଥାନର ଲୋକଙ୍କ ପାଖରେ, ଏହି ନିଷ୍ପତ୍ତି ସଂପର୍କିତ ପ୍ରଥମ ପ୍ରତିକ୍ରିୟା ଥିଲା ଏକ ବିସ୍ମୟଭରା ନିରବତା । ଏହା ପରେ ପରେ ଆନନ୍ଦ ଆତିଶଯ୍ୟର ଏକ ଉତ୍ସାହଭରା କୋଳାହଳ । ସତେ ଯେମିତି, ସେଇ ଗୋଟିଏ ଘୋଷଣା ବଳରେ ମମତା ତାଙ୍କର ଚୂଡ଼ାନ୍ତ ଗୋଟିଚାଳନା କରିଥିଲେ ଏବଂ ଏହି ମାଷ୍ଟରଷ୍ଟ୍ରୋ୍କ୍ ବଳରେ ପ୍ରକୃତ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ନ ହେଉଣୁ ଅଧିକାରୀଙ୍କର ସତ୍ତାଲୋପ ହୋଇଯାଇଥିଲା ।
କିନ୍ତୁ, ଏଥିରେ କୋଲକାତାର ରାଜନୈତିକ ପର୍ଯ୍ୟବେକ୍ଷକମାନେ ସେତେ ବେଶୀ ଉଲ୍ଲସିତ ହେଲେ ନାହିଁ । ସେମାନଙ୍କ ମନରେ ସଂଶୟ ଲାଗି ରହିଥିଲା କାରଣ, ସନ୍ଧ୍ୟା ନଇଁ ଆସିଲା ବେଳକୁ ଶୁଭେନ୍ଦୁ ତାଙ୍କ ପୂର୍ବତନ ରାଜନୈତିକ ଗୁରୁଙ୍କୁ ଚ୍ୟାଲେଞ୍ଜ କରିସାରିଥିଲେ- ମମତାଙ୍କୁ ନନ୍ଦିଗ୍ରାମରେ ଅତି କମ୍ରେ 50,000ରୁ ଅଧିକ ଭୋଟରେ ପରାସ୍ତ କରିବେ କିମ୍ବା ରାଜନୀତି ଛାଡ଼ିଦେବେ ।
ଏଥିରେ ସନ୍ଦେହ ନାହିଁ ଯେ ପ୍ରତିଦ୍ବନ୍ଦ୍ବିତା ତୀବ୍ରତର ହେବ କାରଣ, ମମତା ସମାନ୍ତରାଳ ଭାବରେ ଦୁଇଟି ସ୍ଥାନରୁ ପ୍ରତିଦ୍ବନ୍ଦ୍ବିତା କରିବା କଥା ବି ଚିନ୍ତା କରୁଛନ୍ତି ବୋଲି କହିଛନ୍ତି । ଗୋଟିଏ ହେଲା ସଂପ୍ରତି ସେ ପ୍ରତିନିଧିତ୍ବ କରୁଥିବା ଦକ୍ଷିଣ କୋଲକାତାର ଭବାନୀପୁର ଆସନ ଏବଂ ଏବେ ପୂର୍ବ ମେଦିନୀପୁରର ନନ୍ଦିଗ୍ରାମ ।
ପ୍ରବଳ ହର୍ଷୋଲ୍ଲାସ ଧ୍ବନି ମଧ୍ୟରେ ସମବେତ ଜନତାଙ୍କୁ ମମତା କହିଥିଲେ, “ ନିର୍ବାଚନ ସମୟରେ ମୁଁ ଏଠାରେ (ନନ୍ଦିଗ୍ରାମରେ) ବେଶୀ ସମୟ କାଟି ପାରିବି ନାହିଁ । କାରଣ ମୋତେ 294ଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ । ଭବାନୀପୁର ମୋର ବଡ଼ ଭଉଣୀ ଏବଂ ନନ୍ଦିଗ୍ରାମ ହେବ ମୋର ମଝିଆଁ ଭଉଣୀ । ନିର୍ବାଚନ ସମୟରେ ଆପଣମାନେ, ନନ୍ଦିଗ୍ରାମର ଲୋକମାନେ ହିଁ ସବୁ କଥା ବୁଝିବେ । କିନ୍ତୁ, ମୁଁ ଆପଣଙ୍କୁ ଗୋଟିଏ ପ୍ରତିଶ୍ରୁତି ଦେବି । ଥରେ ନିର୍ବାଚନ ସରିଯିବା ପରେ ମୁଁ ଯାହା କହୁଛି ସବୁ କରିବି । ଆପଣମାନଙ୍କୁ ମୁଁ କଥା ଦେଉଛି ।”
ସେ ଜାଣନ୍ତି ଯେ ଯଦି ସେ କେବଳ ଅଧିକାରୀଙ୍କ ସହ ଲଢ଼ିବା ଉଦ୍ୟମରେ ନନ୍ଦିଗ୍ରାମରେ ସୀମାବଦ୍ଧ ହୋଇ ରହିଯିବେ ତେବେ ହୁଏତ ରାଜ୍ୟର ଅନ୍ୟ ସ୍ଥାନରେ ତାଙ୍କ ପ୍ରତି ସମର୍ଥନ କିମ୍ବା ଦଳର ଆସନ ହରାଇବାର ଆଶଙ୍କା ଉପୁଜିପାରେ, ବିଶେଷତଃ, ଦକ୍ଷିଣ ବଙ୍ଗରେ, ଯେଉଁଠି କି ବିଜେପି ଏ ପର୍ଯ୍ୟନ୍ତ ସେତେ ବେଶୀ ଆସ୍ଥାନ ଜମାଇ ପାରିନାହିଁ । ମମତା ଏହା ବି ଜାଣିଛନ୍ତି ଯେ ନନ୍ଦିଗ୍ରାମ ଆସନରୁ ବିଜୟୀ ହେବାକୁ ହେଲେ ସେଠାକାର ସଂଖ୍ୟାଲଘୁ ମୁସଲମାନଙ୍କ ଅପେକ୍ଷାକୃତ ଅଧିକ ସଂଖ୍ୟକ ଭୋଟକୁ ନିଜ ସପକ୍ଷରେ ଆଣିବାକୁ ହେବ ।
ଯଦି ଏକଦା ତାଙ୍କର ସହଯୋଗୀ ରହିଥିବା ଶୁଭେନ୍ଦୁ ଅଧିକାରୀଙ୍କ ସହ ସେ ପ୍ରତିଦ୍ବନ୍ଦ୍ବିତା କରନ୍ତି, ତେବେ, ଏଥର ନିର୍ବାଚନରେ ନନ୍ଦିଗ୍ରାମ ଆସନର ଲଢ଼େଇ ତୀବ୍ର ପ୍ରତିସ୍ପର୍ଦ୍ଧାପୂର୍ଣ୍ଣ ହେବ । କିନ୍ତୁ, ମମତା ଏହି ନିର୍ବାଚନୀ ଖେଳରେ ଆଦୌ ନବାଗତା ନୁହଁନ୍ତି । ଅତୀତରେ, ସେ 1984 ମସିହାରେ ଏହାକୁ ସଫଳତାର ସହ ଖେଳିସାରିଛନ୍ତି ।
ପଶ୍ଚିମ ବଙ୍ଗର ରାଜନୈତିକ ଦୃଶ୍ୟପଟ୍ଟରେ ସ୍ଥିତିହୀନ ଜଣେ ବ୍ୟକ୍ତିତ୍ବ ଭାବରେ ସେ ସେତେବେଳର ଶକ୍ତିଶାଳୀ ପ୍ରାର୍ଥୀ ସୋମନାଥ ଚାଟ୍ଟାର୍ଜୀଙ୍କ ବିରୋଧରେ, ବାମ ଦଳର ଦୁର୍ଗ ରୂପେ ପରିଗଣିତ ଯାଦବପୁର ଲୋକସଭା ଆସନରୁ ଠିଆ ହୋଇଥିଲେ । ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରବର୍ତ୍ତୀ ସମୟରେ କଂଗ୍ରେସ ସପକ୍ଷରେ ସୃଷ୍ଟ ପ୍ରବଳ ଅନୁକମ୍ପା ଲହରି ବଳରେ ସେ ଚାଟ୍ଟାର୍ଜୀଙ୍କୁ ପରାସ୍ତ କରି 29 ବର୍ଷ ବୟସରେ ଲୋକସଭାର ସର୍ବକନିଷ୍ଠ ସଦସ୍ୟ ହୋଇଥିଲେ । ସେ ବର୍ଷ ଡିସେମ୍ବରର ସେଇ ପରାଜୟ ଥିଲା ସୋମନାଥ ଚାଟ୍ଟାର୍ଜୀଙ୍କ ପାଇଁ 1971ରୁ 2009 ମଧ୍ୟରେ ଏକମାତ୍ର ପରାଜୟ (ସୋମନାଥ ଚାଟ୍ଟାର୍ଜୀ 10ଟି ଲୋକସଭା ନିର୍ବାଚନ ଜିତିଥିଲେ) ଏବଂ ସେଥର ବଙ୍ଗଳାର ରାଜନୈତିକ ଶବ୍ଦାବଳୀରେ ମମତାଙ୍କ ନାଁ ସଶକ୍ତ ଭାବେ ସ୍ଥାନିତ ହୋଇଥିଲା ।
ପରିଶେଷରେ ବିଜେପି ଯଦି ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦିଗ୍ରାମରୁ ପ୍ରାର୍ଥୀ କରାଇବାକୁ ସ୍ଥିର କରେ, ଯେଉଁଠାରୁ କି ସେ 2016 ନିର୍ବାଚନରେ ବେଶ ବଡ଼ ବ୍ୟବଧାନରେ ଜିତିଥିଲେ, ଏବଂ ମମତାଙ୍କୁ ନନ୍ଦିଗ୍ରାମରେ ସ୍ବାଭାବିକ ଆବଶ୍ୟକତା ତୁଳନାରେ ଅଧିକ ସମୟ ପାଇଁ ସୀମାବଦ୍ଧ କରି ରଖିବାକୁ ବାଧ୍ୟ କରିପାରେ, ତେବେ ମମତାଙ୍କ ଅନୁପସ୍ଥିତିର ଫାଇଦା ଉଠାଇ ଅନ୍ୟ କେତେକ ଆସନ ହାତେଇ ପାରିବେ । ତେବେ ଏହି ଅନୁମାନରେ ଏକ ବିରାଟ ‘ଯଦି’ ଲାଗି ରହିଛି- ତାହା ହେଲା ମମତା ବିଜେପିର ଚାଲ୍ରେ ପଡ଼ିବେ କି ନାହିଁ ।
ମମତା ନନ୍ଦିଗ୍ରାମରୁ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ଇଚ୍ଛାପ୍ରକାଶ କରିବା ନିଶ୍ଚିତ ରୂପରେ ପ୍ରଶାନ୍ତ କିଶୋରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ । କାରଣ, ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ ତୃଣମୂଳ କଂଗ୍ରେସ ସୁପ୍ରିମୋଙ୍କ ଏହି ନିଷ୍ପତ୍ତି ସଂପର୍କରେ ସେ ଆଭାସ ପାଇପାରି ନଥିଲେ । ହେଲେ ଏବେ କଥା ପଦାରେ ପଡ଼ିଯାଇଥିବାରୁ ନିଶ୍ଚିତ ରୂପରେ ପ୍ରଶାନ୍ତ କିଶୋର ମମତାଙ୍କୁ ବିଜ୍ଞତାପୂର୍ଣ୍ଣ ପରାମର୍ଶ ଦେବେ । ଅତି କମ୍ରେ, ସେଇଥି ପାଇଁ ତ ସେ ଓ ତାଙ୍କ ଟିମ୍ ଏଥର ନିର୍ବାଚନରେ ତୃଣମୂଳ ପାଇଁ କାମ କରୁଛନ୍ତି ।
ଏବେ ପ୍ରଶ୍ନ ଉଠୁଛି ଯେ, ନନ୍ଦିଗ୍ରାମରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ମମତାଙ୍କ ଏହି ବିସ୍ମୟକର ନିଷ୍ପତ୍ତି ଯୋଗୁଁ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଭାବର ବିଶ୍ବସନୀୟତା ପ୍ରମାଣିତ ହେଉଛି କି ? ମମତାଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ଶୁଭେନ୍ଦୁ ଆଶ୍ବସ୍ତ ହେବେ ଏବଂ ମମତାଙ୍କ ସହ ତାଙ୍କର ପ୍ରତିଦ୍ବନ୍ଦ୍ବିତା ବ୍ୟକ୍ତିଗତ ହୋଇଯିବ କି ? ବିଜେପି ବିରୋଧରେ ସାରା ରାଜ୍ୟରେ ବ୍ୟାପକ ଲଢ଼େଇ ପାଇଁ ମମତାଙ୍କ ଘୋଷଣାର କ’ଣ ହେବ ? ଧଳା ଓ ନୀଳ ରଙ୍ଗର ହାୱାଇ ଚପଲ ପିନ୍ଧି ନିଜର ଏକ ପରିଚୟ ସୃଷ୍ଟି କରିଥିବା ବଙ୍ଗଳାର ଏହି ଦୃପ୍ତ ମହିଳା ଜଣକ କ’ଣ ତାଙ୍କର ରାଜନୈତିକ ‘ୱାଟରଲୁ’ରେ ପହଞ୍ଚି ଯିବେନି ତ ? ଏସବୁ ପ୍ରଶ୍ନର ଉତ୍ତର ଆଉ ମାତ୍ର କେଇଟା ମାସ ପରେ ମିଳିଯିବ ।
ଦୀପଙ୍କର ବୋଷ, ନ୍ୟୁଜ୍ କୋଅର୍ଡିନେଟର, ଇଟିଭି ଭାରତ