କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ରାଜ୍ୟ ରାଜନୀତିରେ ସୃଷ୍ଟି ଭୂମିକମ୍ପ ଯୋଗୁଁ ଦୋହଲିବାରେ ଲାଗିଛି ତୃଣମୂଳ କଂଗ୍ରେସର ଗଡ । ପ୍ରତ୍ଯେକ ଦିନ ଜଣେ ଲେଖାଏଁ ନେତା ଛାଡୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତ । ଲାଗୁଛି ଯେପରି ନିର୍ବାଚନ ପୂର୍ବରୁ ଖାଲି ହୋଇଯିବ ଟିଏମସି କ୍ୟାମ୍ପ । ଟିଏମସି ନେତାଙ୍କ ଦଳବଦଳ ଦେଖି ଦେଖି ଭୟ କରିଗଲେଣି ଦିଦି । ଏନେଇ ବିଜେପିକୁ ଟାର୍ଗେଟ କରିବା ଆଳରେ ଦିଦି ଦେଉଛନ୍ତି ଆପତ୍ତିଜନକ ବୟାନ ।
ଗୁରୁବାର କୋଲକାତାର ଏକ ରାଲିରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ବିଦ୍ରୋହୀ ନେତାଙ୍କୁ ଚୋର ବୋଲି କହିଦେଇଛନ୍ତି ମମତା । ଦିଦି ନିଜ ସମ୍ବୋଧନରେ କହିଛନ୍ତି, ଲକଡାଉନ ସମୟରେ ଅନେକ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଲେ । କେନ୍ଦ୍ର ସରକାର ଏମାନଙ୍କୁ ରେଳ ଭଡା ଦେଇପାରିଲା ନାହିଁ । ହେଲେ କିଛି ଚୋରଙ୍କୁ ଦିଲ୍ଲୀ ନେବା ପାଇଁ ସେମାନେ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିଥିଲେ ବୋଲି ଅଭିଯୋଗ କରିଛନ୍ତି ମମତା ।
ମୁଖ୍ୟମନ୍ତ୍ରୀ ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି, ଟିଏମସିରୁ କିଛି ଦେଶଦ୍ରୋହୀଙ୍କୁ ନେଇ ନିର୍ବାଚନ ଜିତିବା ପାଇଁ ବିଜେପି ଏକ ସୂତ୍ର ବ୍ୟବହାର କରୁଛି। ଯେଉଁମାନେ ବିଜେପିରେ ଯୋଗଦେଉଛନ୍ତି ସେମାନେ ମନେ ରଖିବା ଉଚିତ ଯେ ବିଜେପି ଦଙ୍ଗାକାରୀ । ଯେଉଁମାନେ ସେଠାକୁ ଯାଉଛନ୍ତି, ସେମାନେ ସେମାନଙ୍କର ସମ୍ପତ୍ତି ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହା କରୁଛନ୍ତି କାରଣ ସେମାନେ ବହୁତ ଟଙ୍କା ରୋଜଗାର କରିଛନ୍ତି ବୋଲି କହିଛନ୍ତି ମମତା ।
ନିକଟରେ ପଶ୍ଚିମବଙ୍ଗର ପ୍ରଭାଶାଳୀ ନେତା ଶୁଭେନ୍ଦୁ ବାନାର୍ଜୀ ଟିଏମସିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବା ପରେ କ୍ରମାଗତ ଜଣେ ପରେ ଜଣେ ବିଧାୟକ ଓ ମନ୍ତ୍ରୀ ମମତାଙ୍କୁ ଝଟକା ଦେଇ ଚାଲିଛନ୍ତି । କିଛି ଦିନ ପୂର୍ବରୁ ଏକ ସ୍ବତନ୍ତ୍ର ବିମାନ ଯୋଗେଁ ଟିଏମସି ସରକାରର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ସମେତ 5 ବିଦ୍ରୋହୀ ନେତା ଦିଲ୍ଲୀରେ ପହଞ୍ଚି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ ।