ହାଇଦ୍ରାବାଦ: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ଗତକାଲି ଠାରୁ ମୃତ୍ୟୁ ସଂଖ୍ୟାକୁ ନେଇ ସରକାରଙ୍କୁ କ୍ରମାଗତ ଟାର୍ଗେଟ କରିବାରେ ଲାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା । ଗତକାଲି ମମତା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସମୟରେ ମୃତ୍ୟୁସଂଖ୍ୟାକୁ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଯୁକ୍ତି କରିଥିଲେ । ମୃତ୍ୟୁସଂଖ୍ୟା ପ୍ରାୟ 5 ଶହ ହେବା ନେଇ ଦିଦି କହୁଥିବା ବେଳେ ଏହି ସଂଖ୍ୟା 238 ବୋଲି ଅଶ୍ବିନୀ କହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।
ହେଲେ ଆଜି (ରବିବାର) ଦିଦି କୋଲକାତାରେ ଏହି ପ୍ରସଙ୍ଗରେ ପୁଣି ଭାଜପା ସରକାରକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଗତକାଲି ଦୁର୍ଘଟଣାସ୍ଥଳରେ ସେ ଏହି ରୁଟରେ ଟ୍ରେନ ସେଫ୍ଟି ସିଷ୍ଟମ (କବଚ) କାହିଁକି ନଥିଲା ବୋଲି ପ୍ରଶ୍ନ କରିଥିଲେ । ତାଙ୍କ ସହ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଥିଲେ । ହେଲେ ସେ କାହିଁକି ମୁହଁ ଖୋଲିଲେ ନାହିଁ । ତେଣୁ ଏହା ବୁଝାପଡୁଛି, ଡାଲ ମୈ କୁଛ କାଲା ହୈ ।
ମମତା କହିଛନ୍ତି, ଗତକାଲି ସେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ବେଳେ ତାଙ୍କ ସହ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ସେ ଏହି ଘଟଣାରେ ଏକାଧିକ ଦିଗ ଉଠାଇଥିଲେ । କାରଣ ସେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ମଧ୍ୟ ରଖିଛନ୍ତି । ଏହି ରୁଟରେ କାହିଁକି କବଚ ସିଷ୍ଟମ ଇନଷ୍ଟଲ ହୋଇନାହିଁ ବୋଲି ପ୍ରଶ୍ନ କରିବା ସହ କଣ ରେଳବାଇକୁ ବିକ୍ରି କରିଦେବା ପାଇଁ ଛାଡି ଦିଆଯାଇଛି ବୋଲି ପ୍ରଶ୍ନ କରିଥିଲେ । ହେଲେ ସେ (ରେଳମନ୍ତ୍ରୀ) କାହିଁକି ତାଙ୍କ ମୁହଁ ଖୋଲିଲେ ନାହିଁ । ଡାଲ ମୈ କୁଛ କାଲା ହୈ । ସତ୍ୟ ସାମ୍ନାକୁ ଆସୁ ବୋଲି ସେ ଚାହୁୁଁଥିବା ମଧ୍ୟ ମମତା କହିଛନ୍ତି ।
ଗତକାଲି ଘଟଣାସ୍ଥଳରେ ମମତାଙ୍କ ଏପରି ଟାର୍ଗେଟ ଓ ରେଳମନ୍ତ୍ରୀଙ୍କ ସହ କଥା କଟାକଟିକୁ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ତାଙ୍କୁ ସାମାଲୋଚନା କରିଛନ୍ତି । ମମତାଜୀଙ୍କର ମମତା ନାହିଁ ବୋଲି ଅନୁରାଗ କହିଛନ୍ତି । ଏପରି ମର୍ମନ୍ତୁଦ ଦୁର୍ଘଟଣାରେ ଆମେ ରାଜନୀତି କରିବା ଆଦୌ ଉଚିତ୍ ନୁହେଁ, ବର୍ତ୍ତମାନ ସମୟ କେବଳ ପୀଡିତ ପରିବାର ସହ ଛିଡା ହେବାର ସମୟ ବୋଲି ଅନୁରାଗ କହିଛନ୍ତି । ଏହାରି ମଧ୍ୟରେ ଆଜି କେନ୍ଦ୍ର ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ଭାବେ ଏହି ଦୁର୍ଘଟଣା ସିଗନାଲ ବିଭ୍ରାଟରୁ ହୋଇଥିବା ରେଳବାଇ ତଦନ୍ତର ପ୍ରାଥମିକ ରିପୋର୍ଟ କହୁଥିବା ବେଳେ ଏବେ ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ତଦନ୍ତ ଭାର ହାତକୁ ନେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ