କୋଲକାତା: ପଶ୍ଚିମବଙ୍ଗ ରାଜ୍ୟରେ ଆଉ ୭ଟି ନୂଆ ଜିଲ୍ଲା (Seven New Districts of West Bengal) ସାମିଲ ହୋଇଛି । ପଶ୍ଚିମବଙ୍ଗ କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ସୋମବାର କହିଛନ୍ତି । ନୂଆ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରବନ,ଇଚ୍ଛାମତୀ, ରାଣାଘାଟ,ବିଷ୍ଣୁପୁର, ବହରାମପୁର , ଜଙ୍ଗିପୁର ଏବଂ ବସିରହାଟ ରଖାଯାଇଛି । ପୂର୍ବରୁ ୨୩ଟି ଜିଲ୍ଲା ଥିବା ବେଳେ ଏବା ଏହି ୭ଟି ଜିଲ୍ଲାକୁ ମିଶାଇ ମୋଟ ଜିଲ୍ଲା ସଂଖ୍ୟା ୩୦ ହୋଇଛି । କିଛି ଜିଲ୍ଲାର ଆକାର ବଡ ଥିବାରୁ ଏହାକୁ ଭଙ୍ଗାଯାଇ ୭ଟି ଜିଲ୍ଲାରେ ପରିଣତ କରାଯାଇଛି । ପ୍ରଶାସନିକ କାର୍ଯ୍ୟକୁ ସହଜ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସେହିପରି ଆସନ୍ତାକାଲି(ବୁଧବାର) ପଶ୍ଚିମବଙ୍ଗ ସରକାରଙ୍କ ମନ୍ତ୍ରୀମଣ୍ଡଳ ଅଦଳବଧଳ ହେବ । ୪ରୁ ୫ଜଣ ନୂଆ ଚେହେରା ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ମମତା ବାନାର୍ଜି । ଏଥି ସହ କିଛି ମନ୍ତ୍ରୀଙ୍କୁ ବିଦାୟ କରାଯାଇ ପାର୍ଟି ଦାୟିତ୍ବ ପ୍ରଦାନ କରାଯିବ । ତେବେ ମନ୍ତ୍ରୀ ସାଧନ ପାଣ୍ଡେ ଓ ସୁବ୍ରତ ମୁଖାର୍ଜୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାର୍ଥ ଚାଟାର୍ଜୀ ଜେଲରେ । ତେଣୁ ତାଙ୍କର ସମସ୍ତ କାର୍ଯ୍ୟ କରିବାକୁ ପଡିବ । ଏହା ମୋ ପାଇଁ ଏକାକୀ ପରିଚାଳନା କରିବା ସମ୍ଭବ ନୁହେଁ। ତେଣୁ ବୁଧବାର ମନ୍ତ୍ରୀମଣ୍ଡଳ ଅଦଳବଧଳ ହେବା ନେଇ କହିଛନ୍ତି ମମତା । ଶିକ୍ଷକ ନିଯୁକ୍ତି ମାମଲାରେ ପାର୍ଥ ଚାଟାର୍ଜୀ ଜେଲ ଯିବା ପରେ ଦଳକୁ ଏହା ବହୁ ଅପମାନିତ କରିଛି । ତେଣୁ ଦଳରେ ଅନେକ ପରିବର୍ତ୍ତନ କରାଯିବା ନେଇ ଆଶା କରାଯାଉଛି ।