ନୂଆଦିଲ୍ଲୀ: ଦିଲ୍ଲୀ ସିଂଘୁ ସୀମାରେ କୃଷକ ଆନ୍ଦୋଳନ 18 ଦିନରେ ପହଞ୍ଚିଛି । ଆନ୍ଦୋଳନକାରୀ କୃଷକ ଦିଲ୍ଲୀର ଅସହ୍ୟ ଶୀତରେ ଖୋଲା ଆକାଶତଳେ ପଡିରହିଛନ୍ତି । ଏଲପିଜି ଗ୍ୟାସ ସରିଯିବାରୁ ଷ୍ଟିମର ସାହାଯ୍ୟରେ କୃଷକଙ୍କ ପାଇଁ ଖାଇବା ତିଆରି କରାଯାଉଛି । ଏକକାଳୀନ 3 ହଜାର ଲୋକଙ୍କ ପାଇଁ ଗୋଟିଏ ଭାଟିରେ ଦେଢ କ୍ୟୁଣ୍ଟାଲ ତରକାରୀ ପ୍ରସ୍ତୁତ କରାଯାଉଛି । ସେପଟେ ଯେପର୍ଯ୍ୟନ୍ତ ସରକାର ନୂଆ କୃଷି ଆଇନକୁ ଫେରସ୍ତ ନ କରିଛନ୍ତି ସେପର୍ଯ୍ୟନ୍ତ ଏହିଭଳି ଶୀତରେ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କୃଷକ କହିଛନ୍ତି ।
ସରିଗଲା ଗ୍ୟାସ, ଷ୍ଟିମରରେ ରୋଷେଇ ହେଲା ଖାଇବା-
ସିଂଘୁ ସୀମାରେ କୃଷକଙ୍କ ପାଇଁ ରୋଷେଇ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ଆନ୍ଦୋଳନରେ ଚାଷୀଙ୍କ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡରରେ ଗ୍ୟାସର ଅଭାବ ହେବାରୁ ଷ୍ଟିମରରେ ଗୁରୁଦାସପୁରର ଗୁରୁଦ୍ୱାରରୁ ରୋଷେଇ କରାଯାଉଛି । ପ୍ରାୟ ତିନି ହଜାର ଲୋକଙ୍କ ପାଇଁ ଏକକାଳୀନ ଖାଦ୍ୟ ପ୍ରସ୍ତୁତ କରାଯାଉଛି । ସେପଟେ ସୁରଜିତ ସିଂ କହିଛନ୍ତି ଯେ ସମସ୍ତ କୃଷକ ଏହି ଆନ୍ଦୋଳନକୁ ଆସିଛନ୍ତି, ସମସ୍ତେ ନିଜ ଚାଷ ଜମି ଛାଡି ଆନ୍ଦୋଳନକୁ ଆସିଛନ୍ତି ସରକାରଙ୍କ ସହ ଆଲୋଚନା ପରେ ସମାଧାନ ହୋଇଗଲେ ଫେରିଯିବେ । ସେ କହିଛନ୍ତି ଯେ ସେ କ୍ଷେତରେ ଫସଲ ବୁଣିବା ପରେ ଦିଲ୍ଲୀ ଆସିଛନ୍ତି ଏବଂ ଅମଳ ସମୟରେ ଅମଳ କରିବାକୁ ଯିବେ । ଯଦି ସରକାର ଶୀଘ୍ର ଚାଷୀଙ୍କ ବିରୋଧରେ କରାଯାଇଥିବା କଳା ନିୟମକୁ ପ୍ରତ୍ୟାହାର କରିନିଅନ୍ତି, ତେବେ ଏହି ଆନ୍ଦୋଳନ ମଧ୍ୟ ଶୀଘ୍ର ଶେଷ ହେବ ବୋଲି କୃଷକମାନେ କହିଛନ୍ତି ।
ତେବେ 18 ଦିନ ଧରି ଦିଲ୍ଲୀର ସିଂଘୁ ସୀମା ସମ୍ପୂର୍ଣ୍ଣ ସିଲ୍ ରହିଛି | ଏହି କାରଣରୁ କେବଳ ଏଠାରେ ନୁହେଁ ଅନ୍ୟ ସୀମାରେ ମଧ୍ୟ ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ବର୍ତ୍ତମାନ କୃଷକମାନେ ମଧ୍ୟ ଦାବି କରୁଛନ୍ତି ଯେ, ଏହି ଆନ୍ଦୋଳନ ଶୀଘ୍ର ଶେଷ ହେବା ଉଚିତ, ଫଳରେ କୃଷକମାନେ ମଧ୍ୟ ଘରକୁ ଯାଇ ସେମାନଙ୍କ ଚାଷ କାର୍ଯ୍ୟ ଆରମ୍ଭ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ