କୋଲକାତା: ଡକ୍ୟୁମେଣ୍ଟାରୀ ଫିଲ୍ମ 'କାଳୀ'ର ପୋଷ୍ଟରକୁ ନେଇ ବିବାଦ ତେଜିବାରେ ଲାଗିଛି । ଦେବୀ କାଳୀଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଅଡୁଆରେ ଫସିଛନ୍ତି ଟିଏମସି ସାଂସଦ ମହୁଆ ମଇତ୍ର (TMC MP Mahua Moitra) । ବିରୋଧିମାନେ ମହୁଆଙ୍କ ଇସ୍ତଫା ଦାବି କରୁଛନ୍ତି । ବିଭିନ୍ନ ରାଜ୍ୟରେ ତାଙ୍କ ବିରୁଦ୍ଧରେ ଏକାଧିକ ମାମଲା ରୁଜୁ ହୋଇଛି । ଏହାରି ଭିତରେ ମା' କାଳୀଙ୍କ ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଉପଦେଶ ଦେବା ଢଙ୍ଗରେ କହିଛନ୍ତି, ''ଆମେ କିଛି କାମ କଲାବେଳେ ଭୁଲ୍ କରିଥାଉ । କିନ୍ତୁ ଏହାକୁ ସଂଶୋଧନ କରାଯାଇପାରିବ । କିଛି ଲୋକ ଭଲ କାମକୁ ଦେଖିପାରନ୍ତି ନାହିଁ ଏବଂ ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇଉଠନ୍ତି । ନକରାତ୍ମକ ଚିନ୍ତାଧାରା ଆମ ମସ୍ତିଷ୍କ କୋଷକୁ ପ୍ରଭାବିତ କରେ । ତେଣୁ ସବୁବେଳେ ସକରାତ୍ମକ ଭାବିବା ଉଚିତ୍ । ଲୋକେ ଭୁଲ୍ କରନ୍ତି ଏବଂ ଏହାକୁ ଠିକ୍ କରାଯାଇପାରିବ ।''
ଆଜି(ଗୁରୁବାର) କୋଲକାତାରେ ଛାତ୍ରଛାତ୍ରୀଙ୍କୁ କ୍ରେଡିଟ କାର୍ଡ ବଣ୍ଟନ ସମୟରେ ଏପରି କହିଛନ୍ତି ମମତା ବାନାର୍ଜୀ । ଉଲ୍ଲେଖଯୋଗ୍ୟ, ଗତ ୪ ତାରିଖରେ ଏହି ବିବାଦର ସୂତ୍ରପାତ ହୋଇଥିଲା । ଫିଲ୍ମ ନିର୍ମାତା ଲୀନା ମନିମେକାଲାଇଙ୍କ ଦ୍ବାରା ନିର୍ମିତ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ 'କାଳୀ'ର ଏକ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ଦେବୀ କାଳୀ ସିଗାରେଟ ଟାଣୁଥିବା ଦେଖିବାକୁ ମିଳିଥିଲା ।
ଏକ ମିଡିଆ ଇଭେଣ୍ଟରେ ଏହା ଉପରେ ସାଂସଦ ମହୁଆ ମଇତ୍ର ପ୍ରତିକ୍ରିୟା ଦେଇଥିଲେ ଯେ, '' ନିଜ ନିଜର ଦେବୀଙ୍କୁ କଳ୍ପନା କରିବାର ସ୍ବାଧୀନତା ଅଛି । ମୋ କାଳୀ ପାଇଁ ମଦ ମାଂସ ଖାଉଥିବା ଦେବୀ ଅଟନ୍ତି । ଭୁଟାନ, ସିକିମ୍ ଭଳି କିଛି ସ୍ଥାନରେ ଦେବୀଙ୍କୁ ହ୍ବିସ୍କି ପ୍ରସାଦ ରୂପେ ଅର୍ପଣ କରାଯାଏ । କିନ୍ତୁ ଯଦି ଉତ୍ତରପ୍ରଦେଶ ଭଳି ସ୍ଥାନରେ ଏହାକୁ ନିନ୍ଦା କରାଯାଇପାରେ ।'' ମହୁଆଙ୍କ ଏହି ବୟାନ ପରେ ଝଡ ସୃଷ୍ଟି ହୋଇଥିଲା । ରାଜ୍ୟ ବିଜେପି ଓ ତାଙ୍କୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ତୃଣମୂଳ କଂଗ୍ରେସ ମଧ୍ୟ ଏହାକୁ ତୀବ୍ର ନିନ୍ଦା କରିଥିଲା ।