ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ଓ ଭୁସ୍ଖଳନ ସ୍ଥିତି । ରାଇଗଡ ଜିଲ୍ଲା ତଲାଇ ଗାଁରେ ମାଟି ଅତଡା ଖସି ୩୬ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୫୦ରୁ ୬୦ ଜଣ ମାଟି ତଳେ ଫସି ରହିଥିବା ଜଣାପଡିଛି । ଏନଡିଆରଏଫ ଟିମ ଓ କୋଷ୍ଟଗାର୍ଡ ବନ୍ୟାଞ୍ଚଳରେ ଉଦ୍ଧାର କରୁଥିବାରୁ ଏଠାରେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି ।
ମହାରାଷ୍ଟ୍ରରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଜଳବନ୍ଦୀ ବିଭିନ୍ନ ଅଞ୍ଚଳ । ଗୁରୁବାର ବିଳମ୍ବିତ ରାତିରେ ମଧ୍ୟ ରାଇଗଡ ଜିଲ୍ଲାର କାଲାଇ ଗାଁରେ ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ କେତେକ ଲୋକଙ୍କ ମୃତ୍ୟୁ ହୋଇଛି ସେନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ। ଜଳବନ୍ଦୀ ହୋଇଥିବାରୁ ଏନଡିଆରଏଫ ଟିମ ସେଠାରେ ପହଞ୍ଚିବା କଷ୍ଟକର ହୋଇପଡିଛି । ଏନେଇ ରାୟଗଡ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆଦିତ୍ୟ ଠାକରେ କେନ୍ଦ୍ରର ସହାୟତା ଲୋଡିଛନ୍ତି ।
କୋଲହାପୁର ଜିଲ୍ଲାରେ ପ୍ରାୟ 47ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । 965 ପରିବାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । କୋଲହାପୁର ଜିଲ୍ଲା ନିକଟରେ ପ୍ରବାହିତ ହୋଇଥିବା ପଞ୍ଚଗଙ୍ଗା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କୋଲହାପୁର ଜିଲ୍ଲାରେ ପ୍ରବଳ ବର୍ଷା ମଧ୍ୟରେ ପଞ୍ଚଗଙ୍ଗା ନଦୀର ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି ବୋଲି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ସେଲର ଅଧିକାରୀମାନେ କହିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ଦିନ ରାତି 10 ଟାରେ ପଞ୍ଚଗଙ୍ଗା ନଦୀର ଜଳ ସ୍ତର 41.2 ଫୁଟ ଥିଲା । ଯାହା 43 ଫୁଟର ବିପଦ ସଙ୍କେତଠାରୁ କମ୍ ଥିଲା। ରାସ୍ତା ବୁଡିଯାଇଥିବା ଯୋଗୁଁ ଶାହାଓ୍ବାଡି, ପାନହାଲା, ଗଗନବାଓ୍ବାଡା, ରାଧନାଗରୀ, ଅଜ୍ରା, ଗାଡିଙ୍ଗଲାଜ, ଏବଂ ଚାନ୍ଦଗଡ ତହସିଲର 47ଟିକୁ ଯୋଗାଯୋଗ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ।
ଏନଡିଆରଏଫର ଏକ ଟିମ୍ ଚିଖଲି ଗାଁରେ ମୁତୟନ ହୋଇଛି । ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଆସନ୍ତା ୨୪ ଘଣ୍ଚାରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗୁରୁବାର ମୁଖ୍ୟମନ୍ତ୍ରୀ ଏକ ଜରୁରୀ ବୈଠକ କରିଥିଲେ। ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିପର୍ଯ୍ୟୟ ପରିଚାଳନା ୟୁନିଟ୍ ଏବଂ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ କହିଛନ୍ତି ।
ଉଚ୍ଚ ଜୁଆର ଏବଂ ପ୍ରବଳ ବର୍ଷା ହେତୁ ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫର ଦୁଇଟି ଟିମ୍ ରତ୍ନଗିରିର ଖେଡ ଏବଂ ଚିପଲୁନ୍ ଅଞ୍ଚଳକୁ ପଠାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ରତନଗିରିରେ ଖେଡ ଏବଂ ରାଇଗଡର ମହାଡରେ ଉଦ୍ଧାର କାର୍ଯ୍ୟ ପାଇଁ ଆଉ ଦୁଇଟି ଉଦ୍ଧାରକାରୀ ଦଳ ପଠାଯାଇଛି । ସେପଟେ, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଇଏମଡି । ରାଜ୍ୟର କେତେକ ଅଞ୍ଚଳକୁ ରେଡ ଓ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି । ଯାହା ଆସନ୍ତା ତିନି ଦିନ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ବିଭାଗ ।
ସେପଟେ ରାଜ୍ୟରେ ଏଭଳି ଭୟାନକ ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ତରଫରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଆଶ୍ବସନା ଦେଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ