ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ (ଏକ୍ସାଇଜ୍ ଡ୍ୟୁଟି) ହ୍ରାସ କରିବା ପରେ ରାଜ୍ୟମାନେ ମଧ୍ୟ ଭ୍ୟାଟ ହ୍ରାସ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ମହାରାଷ୍ଟ୍ର, ରାଜସ୍ଥାନ ଏବଂ କେରଳ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ VAT ହ୍ରାସ କରିଛନ୍ତି । ବରିଷ୍ଠ କଂଗ୍ରେସନେତା ପି ଚିଦାମ୍ବରମ୍ କେନ୍ଦ୍ରର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ସହ ରାଜ୍ୟମାନେ କିପରି VAT ଛାଡି ପାରିବେ ବୋଲି ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଗତକାଲି କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଲୋକଙ୍କୁ ଆଉ ଟିକେ ସହଯୋଗ କରିବା ପାଇଁ ରାଜ୍ୟମାନେ ସେମାନଙ୍କ VAT ପରିମାଣରେ ହ୍ରାସ କରନ୍ତୁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହ୍ବାନ ଦେଇଥିଲେ । ସେହିକ୍ରମରେ ଶିବସେନା ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା 2.08 ଟଙ୍କା ଏବଂ ଡିଜେଲ ଲିଟର ପିଛା 1.44 ଟଙ୍କା VAT ହ୍ରାସ କରିଛି । ସରକାରଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟକୁ ବାର୍ଷିକ 2,500 କୋଟି ଟଙ୍କା କ୍ଷତି ସହିବାକୁ ପଡିବ।
ତେବେ କେରଳ ସରକାର ଗତକାଲି (ଶନିବାର) ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଯଥାକ୍ରମେ ଲିଟର ପିଛା 2.41 ଟଙ୍କା ଏବଂ 1.36 ଟଙ୍କା VAT ହ୍ରାସ କରିବାକୁ ଘୋଷଣା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ ପେଟ୍ରୋଲ ଉପରେ ରାଜ୍ୟ ସରକାର ଲିଟର ପିଛା 2.48 ଟଙ୍କା ଏବଂ ଡିଜେଲ ଉପରେ 1.16 ଟଙ୍କା ହ୍ରାସ କରିବେ । ତେବେ ତାମିଲନାଡୁର ଡିଏମକେ ନେତୃତ୍ୱାଧୀନ ସରକାର ରାଜ୍ୟଗୁଡିକ VAT ହ୍ରାସ ସପକ୍ଷରେ ନଥିବା ଜଣାପଡିଛି ।
ମଧ୍ୟପ୍ରଦେଶରେ କଂଗ୍ରେସ ନେତା କମଲ ନାଥ ରାଜ୍ୟରେ ବିଜେପି ସରକାର ପେଟ୍ରୋଲ ଓ ଡିଜେଲରେ ଭ୍ୟାଟ ହ୍ରସ କରନ୍ତୁ ବୋଲି ଦାବି କରିଛନ୍ତି । ସେହିପରି ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ କହିଛନ୍ତି କେବଳ ଉତ୍ତର ପ୍ରଦେଶ ନୁହେଁ ବରଂ ଅନ୍ୟ ରାଜ୍ଯମାନେ ମଧ୍ୟ ଭ୍ୟାଟ ହ୍ରସ ଉପରେ ବିଚାର କରନ୍ତୁ । ସେହିପରି କର୍ଣ୍ଣାଟକରେ ବିଜେପି ଶାସନ ଥିବାବେଳେ ମୁଖ୍ୟମନ୍ତ୍ରୀ ବାଶବରାଜ ବୋମ୍ମାଇ ଭାଟ ହ୍ରାସ ଉପରେ ଚିନ୍ତା କରୁଛନ୍ତି । ଗତାକାଲି ରାତିରେ କେନ୍ଦ୍ରର ନିଷ୍ପତ୍ତି ଆସିଲା ତେବେ ସରକାର ତାହା ଉପରେ ବିଚାର କରୁଥିବା ମୁଖ୍ୟମନ୍ତ୍ରୀ ବୋମ୍ମାଇ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ