ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପିର ରାଷ୍ଟ୍ରୀୟ ପ୍ରବକ୍ତା ନୱାବ ମଲ୍ଲିକଙ୍କୁ ଆଜି ପଚରାଉଚରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । ତେବେ କେଉଁ ନିର୍ଦ୍ଧିଷ୍ଟ ମାମଲାରେ ତାଙ୍କୁ ଜେରା କରାଯାଉଛି ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । କେବଳ ଯାହା ସୂଚନା ରହିଛି, ଆଜି ସକାଳେ ମନ୍ତ୍ରୀ ନୱାବ ମଲ୍ଲିକ ଇଡି ଅଫିସ ଯାଇଥିଲେ । ସେଠାରେ ଇଡିର ଏକ ଟିମ୍ ତାଙ୍କୁ ପଚରାଉଚରା କରୁଛି ।
ଗତ ସପ୍ତାହରେ ଜାତୀୟ ତଦନ୍ତକାରୀ ଏଜେନ୍ସି(NIA) ପଳାତକ ମାଫିଆ ଡନ ଦାଉଦ ଇବ୍ରାହିମ୍ କସ୍କର ସହ ଲିଙ୍କ୍ ଥିବା କିଛି ସମ୍ପତ୍ତି ଉପରେ ରେଡ୍ ମାରିଥିଲା । ଏପରିକି ଗତ ୫ ଦିନ ତଳେ ଏକ ଟଙ୍କା ଠକେଇ ମାମଲାରେ ଦାଉଦର ସାନ ଭାଇ ଇକବାଲ ଇବ୍ରାହିମ୍ କସ୍କରକୁ ଗିରଫ କରିଥିଲା ଇଡି । ଏହି ଦୃଷ୍ଟିରୁ ମାଫିଆ ଡନ ସହ ଲିଙ୍କ୍ ସମ୍ପତ୍ତି ମାମଲାରେ ଇଡି ମନ୍ତ୍ରୀ ନୱାବ ମଲ୍ଲିକଙ୍କୁ ପଚରାଉଚରା କରୁଥିବାର ସନ୍ଦେହ କରାଯାଉଛି ।
ଏହାକୁ ନେଇ ଏନସିପି ବିଜେପିକୁ ଟାର୍ଗେଟ କରିଛି । ସରକାରୀ କଳର ଦୂରୁପଯୋଗ କରି ଭାରତୀୟ ଜନତା ପାର୍ଟି ରାଜନୈତିକ ବିରୋଧିଙ୍କୁ ଚୁପ୍ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଏନସିପି ପ୍ରବକ୍ତା ବିଦ୍ୟା ଚାବନ ଏବଂ ଶିବସେନା ନେତା କିଶୋର ତିୱାରୀ । ସେପଟେ ବିଜେପି ପ୍ରବକ୍ତା ଅତୁଲ ଭାଟକଲକର ଏବଂ ରାମ କଦମ କହିଛନ୍ତି, ନୱାବ ମଲ୍ଲିକ ଏବଂ ମାଫିଆ ଡନ ମଧ୍ୟରେ ବ୍ୟବସାୟିକ ଡିଲ୍ ହୋଇଥିବା ନେଇ ଦଳ ପୂର୍ଣ୍ଣ ବିବରଣୀ ଦାଖଲ କରିସାରିଛି ।