ନୂଆଦିଲ୍ଲୀ: ଦିଲ୍ଲୀର ଧାର୍ମିକ ସ୍ଥାନ ଜାମା ମସଜିଦର ସ୍ବାଧୀନତା ସଂଗ୍ରାମରେ ବଡ଼ ଭୂମିକା ରହିଥିଲା । ଦିନେ ଏହା ସ୍ବାଧୀନତା ସଂଗ୍ରାମୀଙ୍କ ବିପ୍ଳବ ପାଇଁ ପାଲଟିଥିଲା ପ୍ରମୁଖ ସ୍ଥାନ । ଏଠାରୁ ହିଁ ରାଜଧାନୀର ଅନେକ ବିପ୍ଳବୀ ବ୍ରିଟିଶ ସରକାରଙ୍କ ବିରୋଧରେ ସଂଗ୍ରାମ ପାଇଁ ଯୋଜନା କରୁଥିଲେ । ଏଥିଲାଗି ବ୍ରିଟିଶ ସରକାର ଜାମା ମସଜିଦକୁ ଅନେକ ସମୟ ପର୍ଯ୍ୟନ୍ତ ବନ୍ଦ କରିଦେଇଥିଲେ । ଦୀର୍ଘ ସମୟ ବନ୍ଦ ରହିବା ପରେ ୧୮୬୨ ମସିହାରେ ଏଠାରେ ପୁଣି ନମାଜ ପାଠ ଆରମ୍ଭ ହୋଇଥିଲା ।
ଭାରତରେ ହିନ୍ଦୁ ଓ ମୁସଲିମଙ୍କ ଭାଇଚାରାର ଏହା ମୁକସାକ୍ଷୀ ହୋଇ ରହିଛି । ତେବେ ଦେଶ ୭୫ତମ ସ୍ବାଧୀନତା ଦିବସ ପାଳୁଥିବା ବେଳେ ଏହି କୀର୍ତ୍ତିରାଜି ସମ୍ପର୍କରେ ଜାଣିବା ଆବଶ୍ୟକ ହୋଇଛି । 1857 ମସିହାରେ ଭାରତ ବ୍ରିଟିଶ ଶାସନ ଅଧୀନରେ ଆସିଥିଲା । ସେତେବେଳେ ଭାରତୀୟ ସୈନିକମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ସହିତ ଯୁଦ୍ଧ କରୁଥିବା ସମୟରେ ଏହି ମସଜିଦରେ ଆଶ୍ରୟ ନେଇଥିଲେ। ବ୍ରିଟିଶମାନଙ୍କ ବିରୁଦ୍ଧରେ ହୋଇଥିବା ଅଧିକାଂଶ ବିରୋଧ ମଧ୍ୟ ଏଠାରୁ ଆରମ୍ଭ ହୋଇଥିଲା ।
ଏଥିଲାଗି ଏହାକୁ ଜୋର ଜବରଦସ୍ତ ଦଖଲ କରିଥିଲା । 1862 ମସିହା ପର୍ଯ୍ୟନ୍ତ ମସଜିଦରେ କାହାକୁ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇ ନ ଥିଲା । ସଂଗ୍ରାମ ବେଳେ ଯେତେବେଳେ ଦେଶବାସୀଙ୍କ ଉପରେ ବିପଦ ଆସିଥିଲା, ସେତେବେଳେ ଦେଶ ବିଭାଜିତ ହୋଇ ଭାରତ ଓ ପାକିସ୍ତାନରେ ପରିଣତ ହେଲା ।
ଏହାପରେ କିଛି ମୁସଲିମ ସମ୍ପଦ୍ରାୟ ଭାରତରେ ରହିବେ ନା ପାକିସ୍ତାନରେ ଏ ନେଇ ଚିନ୍ତାରେ ପଡ଼ିଗଲେ । ସେତେବେଳେ ଏହି ମସଜିଦ ପରିସରରେ ଠିଆ ହୋଇ ମୌଲାନ ଅବୁଲ କାଲାମ ଆଜାଦ ଐତିହାସିକ ଭାଷଣ ଦେଇଥିଲେ । ମୁସଲିମ ଭାଇଭଉଣୀମାନଙ୍କୁ ସମ୍ବୋଧନ କରି ସେ କହିଥିଲେ ଯେ 'ମୁସଲିମ ସମ୍ପ୍ରଦାୟ ପାଇଁ ଭାରତରେ କୌଣସି ସ୍ଥାନ ନାହିଁ । କିନ୍ତୁ ଆମେ ଏଠାରେ ଜଣେ ଜଣେ ଭାରତୀୟ । ମୁସଲିମଙ୍କ ପାଇଁ ଭାରତଠୁ ଅଧିକ ସୁରକ୍ଷିତ ସ୍ଥାନ ଆଉ ନାହିଁ ବୋଲି ସେ କହିଥିଲେ ।
ସ୍ବାଧୀନତା ସଂଗ୍ରାମ ବେଳେ ଯେତେବେଳେ ହିନ୍ଦୁ-ମୁସଲମାନଙ୍କ ଭାଇଚାରାର ସମ୍ପର୍କ ଦୁର୍ବଳ ହେବାରେ ଲାଗିଲା, ସେତେବେଳେ ଏହି ମସଜିଦ ପରିସରରୁ ସ୍ବାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ ଐତିହାସିକ ଭାଷଣ ଦେଇ ଏହି ଭାଇଚାରାକୁ ମଜବୁତ କରିଥିଲେ । ଶ୍ରଦ୍ଧାନନ୍ଦ ସରସ୍ବତୀଙ୍କ ଭାଷଣର ଆଜି ବି ରହିଛି ପ୍ରାସଙ୍ଗିକତା । ଇତିହାସ ଏହା ମଧ୍ୟ ମନେ ରଖିଛି ଯେ ଜାମା ମସଜିଦରେ ଠିଆ ହୋଇ କେହି ଜଣେ ହିନ୍ଦୁ ସନ୍ଥ ବୈଦିକ ମନ୍ତ୍ରର ଉଚ୍ଚାରଣ କରିଥିଲେ ।
ସେ ଗେରୁଆ ବସ୍ତ୍ର ପିନ୍ଧିଥିଲେ ଏବଂ ତାଙ୍କୁ ଅନେକ ଲୋକ ଘେରି ହୋଇ ରହିଥିବା ବେଳେ ସେ ମସଜିଦ ସିଡ଼ିରେ ଠିଆ ହୋଇଥିଲେ । ଆଉ ସେମାନଙ୍କୁ କହିଥିଲେ ଯେ ବ୍ରିଟିଶଙ୍କୁ ପରାସ୍ତ କରିବାର ଏକମାତ୍ର ଉପାୟ ହେଉଛି ହିନ୍ଦୁ ଏବଂ ମୁସଲମାନମାନେ ଏକଜୁଟ ହେବା । ଉପସ୍ଥିତ ସମସ୍ତ ଲୋକ ହିନ୍ଦୁ-ମୁସଲମାନ ଏକତାର ସ୍ଲୋଗାନ ଦେଉଥିଲେ । ଯେତେବେଳେ ସେ ବୈଦିକ ମନ୍ତ୍ର ଜପ କରୁଥିଲେ ସେତେବେଳେ ଦର୍ଶକଙ୍କ ମଧ୍ୟରେ 'ଆମିନ୍' ଜବାବ ଆସୁଥିଲା । ଏହି ଭାଷଣ ସହିତ ସେ ଗଙ୍ଗା-ଯମୁନା ପ୍ରକୃତ ଭାରତୀୟଙ୍କ ପରିଚୟ ବୋଲି ସ୍ବର ଉତ୍ତୋଳନ କରିଥିଲେ ।
ଆଜି ବି ଭାରତରେ ମୁସଲିମ ସମ୍ପ୍ରଦାୟଙ୍କ ପବିତ୍ର ଧର୍ମପୀଠ ଭାବେ ଏହି ମସଜିଦ୍ ସମାନ ଗୁରୁତ୍ବ ବହନ କରୁଛି । ଦେଶ ୭୫ତମ ସ୍ବାଧୀନତା ଦିବସ ପାଳୁଥିବା ବେଳେ ଜାମା ମସଜିଦ ବିନା ଏହା ଅଧୁରା ସଦୃଶ । ଭାରତ ଯେଉଁ ସବୁ ଐତିହାସିକ ସ୍ଥଳକୁ ନେଇ ଗର୍ବ କରେ, ସେଥିମଧ୍ୟରୁ ଗୋଟିଏ ଏହି ମସଜିଦ । ମୁସଲିମଙ୍କ ଏହି ଧାର୍ମିକ ପୀଠର ମୂଳଦୁଆ ୧୬୬୫ରେ ପଡିଥିବା ବେଳେ ଏହା ଆଜି ପର୍ଯ୍ୟନ୍ତ ହିନ୍ଦୁ-ମୁସଲିମଙ୍କ ଭାଇଚାରାକୁ ମଜବୁତ କରିଆସୁଛି । ଭାରତୀୟଙ୍କ ଅତୁଟ ବନ୍ଧନର ପ୍ରତୀକ ସାଜିଥିବା ଏହି ପବିତ୍ର ସ୍ଥଳ ସମ୍ପର୍କରେ ଦେଶବାସୀ ଜାଣିବା ନିହାତି ଆବଶ୍ୟକ ରହିଛି ।
ଏହାର ନିର୍ମାଣ ଶୈଳୀ ସମ୍ପର୍କରେ କହିଲେ, ପ୍ରାଚୀନ ମସଜିଦ କାରିଗରୀ ଓ ଆଧୁନିକତାର ଝଲକ ମଧ୍ୟ ଏଠାରେ ଦେଖିବାକୁ ମିଳେ । ପୁରାତନ ଦିଲ୍ଲୀର ଏହି ବୃହତ୍ତମ ମସଜିଦ, ମୋଗଲ ସମ୍ରାଟ ଶାହଜାହାନଙ୍କ ସୂକ୍ଷ୍ମ ସ୍ଥାପତ୍ୟ ଏବଂ ସୌନ୍ଦର୍ଯ୍ୟଗତ ନିର୍ମାଣ ଶୈଳୀର ନମୁନା ପାଲଟିଛି । ଏହାର ଲମ୍ବ 65 ମିଟର ହୋଇଥିବା ବେଳେ ଚଉଡ଼ା 35 ମିଟର । ଏଠାରେ 25 ହଜାର ଲୋକ ଏକାଠି ବସି ନମାଜ ପଢିପାରିବେ । ଏହାର ଅଗଣା 100 ବର୍ଗ ମିଟର ହୋଇଥିବା ବେଳେ ମସଜିଦରେ ୪ଟି ପ୍ରବେଶ, ୪ଟି ସ୍ତମ୍ଭ ଏବଂ ୨ଟି ମିନାର ରହିଛି ।
ପୁରା ମସଜିଦଟି ଲାଲ ସ୍ୟାଣ୍ଡ ଷ୍ଟୋନ ଓ ଧଳା ମାର୍ବଲରେ ତିଆରି । ଧଳା ମାର୍ବଲର ୩ଟି ଗମ୍ବୁଜ ଉପରେ ଥିବା କଳା ରଙ୍ଗର ପଟି ଦୂରରୁ ଦେଖଣାହାରୀଙ୍କୁ ଆକର୍ଷିତ କରିଥାଏ । ମସଜିଦର ପଶ୍ଚିମ ଭାଗରେ ମୁଖ୍ୟ ସାଧନା ପୀଠ ରହିଛି । ଏଠାରେ ୨୬୦ଟି ଉଚ୍ଚ ସ୍ତମ୍ଭ ସହ ୧୫ଟି ଧଳା ମାର୍ବଲର ଗମ୍ବୁଜ ରହିଛି । ମସଜିଦର ଦକ୍ଷିଣ ଭାଗରେ ମିନାର ର ପରିସର ୧୦୭୬ ବର୍ଗ ଫୁଟ ଚଉଡ଼ା । ଐତିହାସିକଙ୍କ କହିବାନୁସାରେ ସେତେବେଳେ ମୋଗଲ ସମ୍ରାଟ ଶାହାଜାହନ ଏହି ମସଜିଦକୁ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଥିଲେଷ । ଆଉ ଏହାର ନିର୍ମାଣରେ ୫ ହଜାର ଶିଳ୍ପ କାରିଗର ଲାଗିଥିଲେ । ହିନ୍ଦୁ-ମୁସଲମାନଙ୍କ ଭାଇଚାରାକୁ ମଜବୁତ କରିଥିଲା ଏହି ସ୍ଥଳ, ଯାହାକୁ ନେଇ ଆଜି ବି ଗର୍ବ ଭାରତୀୟମାନେ ଗର୍ବ କରିଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ