ଭୋପାଳ: ଯୁବପିଢିଙ୍କ ପାଇଁ ଘାତକ ସାଜୁଛି ଅନଲାଇନ ଗେମ୍ । ଗେମ୍ ନିଶାରେ କିଏ ଘର ଛାଡି ପଳାଉଛି ତ ଆଉ କିଏ ଜୀବନ ହାରୁଛି । ବିଗତ ଦିନରେ ଏଭଳି ଅନେକ ଘଟଣା ଲୋକଲୋଚନକୁ ଆସିଛି । ନିକଟରେ ଭୋପାଳର ଜଣେ 11 ବର୍ଷୀୟ ନାବାଳକ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପରେ ଗେମ୍ ଉପରେ ଲଗାମ କଷିବା ପାଇଁ ତତ୍ପର ହୋଇଉଠିଛନ୍ତି ମଧ୍ୟପ୍ରଦେଶ ସରକାର । ଅନଲାଇନ ଗେମ୍କୁ ନିୟନ୍ତ୍ରିତ କରିବାକୁ ରାଜ୍ୟ ସରକାର ଖୁବଶୀଘ୍ର ଆକ୍ଟ ଆଣିବାକୁ ଯାଉଛନ୍ତି । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା(MP Home Minister Narottam Mishra) ।
ଗୃହମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସମୟରେ ଅନଲାଇନ ଗେମ୍ ଏକ ଗମ୍ଭୀର ସମସ୍ୟା । ଭୋପାଳ ଅଘଟଣ ପରେ ଆମେ ଏହି ଗେମ୍କୁ ନିୟନ୍ତ୍ରିତ କରିବାକୁ ଆଇନ ଆଣିବୁ । ଏଥିପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ଏହି ପ୍ରକ୍ରିୟା ଶେଷ ହେବ। ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ ସମ୍ପୃକ୍ତ ନାବାଳକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା । ପିଲାଟିର ବାପାମାଆଙ୍କ କହିବାର କଥା, ପିଲାଟି ତାଙ୍କୁ ନ ପଚାରି ଅନଲାଇନ ଗେମ୍ ପାଇଁ 6 ହଜାର ଟଙ୍କା ଉଡାଇ ଦେଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବାପାମାଆ ମୋବାଇଲରୁ ସେହି ଗେମ୍ ଆପ୍ ଡିଲିଟ୍ କରିଦେଇଥିଲେ । ଯେଉଁ କାରଣରୁ ପିଲାଟି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
@ANI