କୋଲକାତା: ଗିରଫ ଟିଏମସି ବିଧାୟକ ମଦନ ମିତ୍ର ଓ ପୂର୍ବତନ କୋଲକାତା ମେୟର ଶୋଭନ ଚାଟାର୍ଜୀ ମେଡିକାଲରେ ଭର୍ତ୍ତି । ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କୁ ଉଡବର୍ନର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି(ମଙ୍ଗଳବାର) ସକାଳ 4ଟା 45 ମିନିଟ ସମୟରେ ଉଭୟ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ପ୍ରେସିଡେନ୍ସି ଜେଲରୁ ଏସଏସକେଏମ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଛି ।
ପୂର୍ବରୁ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କୁ ମଧ୍ୟ ସୋମବାର ରାତିରେ ଅସୁସ୍ଥତା ଯୋଗୁଁ ଚିକିତ୍ସା ପାଇଁ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସା ପରେ ତାଙ୍କୁ ପୁଣି ଜେଲକୁ ପଠାଯାଇଥିଲା । ହେଲେ ପୁନର୍ବାର ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପୁନଶ୍ଚ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଥାଉ କି, 2016 ନାରଦା ଷ୍ଟିଙ୍ଗ ମାମଲାରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଫିରହାଦ ହାକିମ, ବିଧାୟକ ମଦନ ମିତ୍ର ଓ ପୂର୍ବତନ କୋଲକାତା ମେୟର ଶୋଭନ ଚାଟାର୍ଜୀଙ୍କୁ ସିବିଆଇ ଗିରଫ କରିଥିଲା । ମାମଲାରେ କେତେକ ରାଜନେତା ଏବଂ ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଟଙ୍କା ନେଇ କମ୍ପାନୀଙ୍କୁ ଅନୌପଚାରିକ ସହାୟତା ପ୍ରଦାନ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଗିରଫ ସମ୍ପୃକ୍ତ ଚାରି ଜଣ ହେଭିୱେଟ ନେତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟର ଜାମିନ ଉପରେ ସୋମବାର କୋଲକାତା ହାଇକୋର୍ଟ ରୋକ ଲଗାଇଥିଲେ ଏବଂ ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ଯାଏଁ ସେମାନଙ୍କୁ ପ୍ରେସିଡେନ୍ସି ଜେଲକୁ ପଠାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ