ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନ ଆଉ ମାତ୍ର 3 ମାସ ବାକିଥିବା ବେଳେ ଭାରତୀୟ ଜନତା ପାର୍ଟି ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯାଉଛି । ଦଳର ସବୁଠୁ ବଡ ଚେହେରା ପ୍ରଧାନମନ୍ତ୍ରୀ ମୋଦି ଚଳିତ 13 ତାରିଖରେ ବିହାର ଚମ୍ପାରଣରେ ଏକ ଜନସଭାକୁ ସମ୍ବୋଧିତ କରି ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିବାକୁ ଯାଉଥିବା ସୂଚନା ମିଳିଛି । ଦଳ ବିଧିବଦ୍ଧ ଘୋଷଣା କରିନଥିଲେ ସୁଦ୍ଧା 13 ତାରିଖରେ ଚମ୍ପାରଣର ବେତିଆ ସ୍ଥିତ ରମଣ ମୈଦାନରେ ଏକ ବିଶାଳ ଜନସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି । ତେବେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ ହେବାକୁ ଯାଉଛି ।
ଚମ୍ପାରଣ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବେ । ଏହା ମଧ୍ୟରେ ରାସ୍ତା, ପୋଲ ପରି ଯୋଗାଯୋଗ ଭିତ୍ତିଭୂମି ମଧ୍ୟ ରହିଛି । ଏହା ପରେ ବିହାରରେ ଦଳର ଦ୍ବିତୀୟ ପ୍ରଭାବଶାଳୀ ବ୍ୟକ୍ତିତ୍ବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦଳର ମୁଖ୍ୟ ଜେ.ପି ନଡ୍ଡାଙ୍କର ସିରିଜ୍ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ରହିଛି । 13ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ସହ ଜାନୁଆରୀ 15ରୁ ଦଳର ଅନ୍ୟ ନେତାମାନେ ମଧ୍ୟ ପ୍ରଚାରରେ ଲାଗିପଡିବେ । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆମିତ ଶାହ ସୀତାମଢି, ମାଧେପୁରା ଓ ନାଳନ୍ଦା ପରି ଅଞ୍ଚଳରେ ଏକାଧିକ ଜନସଭାକୁ ସମ୍ବୋଧିତ କରିବେ । ସେହିପରି ନଡ୍ଡାଙ୍କ ଫୋକସରେ ସୀମାଞ୍ଚଳ ଓ ପୂର୍ବ-ବିହାର କ୍ଷେତ୍ର ରହିବ । ଏମାନଙ୍କ ବ୍ୟତୀତ ଦଳର ଅନ୍ୟ କେନ୍ଦ୍ରୀୟ ନେତାମାନେ ମଧ୍ୟ ବିହାର ଗସ୍ତ କରି ନିର୍ବାଚନୀ ପ୍ରଚାର କରିବେ ।
ଏହା ମଧ୍ୟ ପଢନ୍ତୁ :- ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତରେ ବିବ୍ରତ ମାଳଦ୍ବୀପ ! ଭାରତକୁ ଟାର୍ଗେଟ କଲେ ଏକାଧିକ ମନ୍ତ୍ରୀ
40 ଲୋକସଭା ଆସନ ବିଶିଷ୍ଟ ବିହାର ଉତ୍ତର-ଭାରତୀୟ ରାଜନୀତିରେ ପ୍ରଭାବ ରଖୁଥିବା ଅନ୍ୟତମ ପ୍ରମୁଖ ରାଜ୍ୟ । ତେବେ 2019ରେ ବିଜେପି ଓ ଏନଡିଏ ସହଯୋଗୀ ଦଳ ଏଠାରେ 39 ଆସନ ହାତେଇବାରେ ସଫଳ ହୋଇଥିଲା ବେଳେ ବିଜେପି ଏକାକୀ 17 ଆସନ ଜିତିଥିଲା । ହେଲେ ଚଳିତ ଥର ରାଜନୈତିକ ସମୀକରଣ ବିଜେପି ପାଇଁ ଭିନ୍ନ । ନୀତିଶଙ୍କ ନେତୃତ୍ବରେ ଜେଡିୟୁ, ଆରଜେଡି ଓ କଂଗ୍ରେସ ତ୍ରିକୋଣୀୟ ମେଣ୍ଟରେ କ୍ଷମତାରେ ଅଛନ୍ତି । ଭାରତୀୟ ଜନତା ପାର୍ଟି ଏବେ ସେଠାରେ ବିରୋଧୀ ଆସନରେ ରହିଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ