ହାଇଦ୍ରାବାଦ: ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ବାରଣାସୀରେ ମୋଗଲ ସରାଇର ଏକ ଗରୀବ ପରିବାରରେ ତାଙ୍କର ଜନ୍ମ । ଜାତିର ପିତା ମହାତ୍ମା ଗାନ୍ଧୀଜୀ ଏବଂ ତାଙ୍କ ଜନ୍ମ ଗୋଟିଏ ଦିନରେ । ପିଲାଟି ବେଳୁ ଶାସ୍ତ୍ରୀଜୀ ଖୁବ୍ ନମ୍ର, ଶାନ୍ତ ଓ ସରଳ ଥିଲେ । ଶାସ୍ତ୍ରୀଜୀ ବାହାରୁ ଦେଖିବାକୁ ଯେମିତି ସାଧାରଣ ଦେଖାଯାଉଥିଲେ, ସେମିତି ମନରୁ ଶାନ୍ତ ଓ ନିର୍ମଳ ସ୍ବଭାବର ଥିଲେ ।
ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ବାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ । ସ୍ବାଧୀନତା ଲଢେଇରେ ତାଙ୍କ ଅବଦାନ ଥିଲା ଅବିସ୍ମରଣୀୟ । ୧୯୨୦ ମସିହାରେ ଶାସ୍ତ୍ରୀଜୀ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ଲବଣ ସତ୍ୟାଗ୍ରହରେ ମଧ୍ୟ ମୁଖ୍ୟ ଭୂମିକା ନିଭାଇଥିଲେ । ଲାଲ ବାହାଦୂର ଶାସ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ବହୁ ଅନୁପ୍ରାଣିତ ହୋଇଥିଲେ । ଗାନ୍ଧିଙ୍କ ବିଚାର ଏବଂ ଜୀବନଶୈଳୀ ତାଙ୍କୁ ପ୍ରେରଣା ଯୋଗାଉଥିଲା।
ଭାରତ ସ୍ବାଧୀନ ହେବା ପରେ ସେ ରେଳ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ପରେ ଗୃହମନ୍ତ୍ରୀ ଏବଂ ୧୯୬୪ରେ ସ୍ବାଧୀନ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଜୟ ଯବାନ, ଜୟ କିଷାନ ନାରା ଦେବା ସହ ପ୍ରଥମ ଥର ଭାରତର ପ୍ରତିରକ୍ଷା ବଜେଟକୁ ବଢାଇଥିଲେ । ସେ ଅନ୍ୟମାନଙ୍କ ପରି ଚାକଚକ୍ୟ ଓ ବିଳାସପୂର୍ଣ୍ଣ ଜୀବନଯାପନକୁ ଆଦରି ନଥିଲେ । ଶାସ୍ତ୍ରୀଜୀ ସର୍ବଦା ନିଜ କାମ କରିବାକୁ ଚେଷ୍ଟା କରୁଥିଲେ । ତାଙ୍କ ପାଖରେ ମାତ୍ର କିଛି ଯୋଡା ପୋଷାକ ଥିଲା । ନିଜର ବିନମ୍ରତା ପାଇଁ ଜଣାଶୁଣା ଲାଲ ବାହାଦୂର ଶାସ୍ତ୍ରୀଙ୍କ କୁଶଳ ନେତ୍ବତ୍ବ ଏବଂ ଜନକଲ୍ୟାଣକାରୀ ବିଚାର ପାଇଁ ସବୁବେଳେ ମନରେ ରହିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ