ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଲକ୍ଷୀମପୁର ଖେରୀ ହିଂସାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ପ୍ରଦାନକୁ ଚ୍ୟାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି କରଛନ୍ତି ସର୍ବୋଚ୍ଚ କୋର୍ଟ । ଆଜି ଆଜି (ରବିବାର) ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରଖାଯାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଜାମିନ ମିଳିବା ବିରୋଧରେ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ହୋଇଥିଲେ ମୃତକ ଚାଷୀଙ୍କ ପରିବାର । ତେବେ ଆଜି ମାମଲାର ଶୁଣାଣି ବେଳେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି ଉତ୍ତର ପ୍ରଦେଶ ସରକାର ।
ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାରେ ଶୁଣାଣିି କରିଥିଲେ । ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲାରେ ହାଜର ହୋଇଥିଲେ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଳୀନି । ସରାକାରୀ ଓକିଲ ଦର୍ଶାଇଥିଲେ ଯେ, ମାମଲା ଅତ୍ୟନ୍ତ ଗମ୍ଭୀର ତଥାପି ମୁଖ୍ୟ ଅଭିଯୁକ୍ତ ବାହାରକୁ ଆସିବା ପରେ ତଦନ୍ତ ପ୍ରଭାବିତ ହେବା ପରି କୌଣସି ଆଶଙ୍କା ନାହିଁ । ମୁଖ୍ୟ ଅଭିଯୁକ୍ତଙ୍କ ଫେରାର ହେବାର ମଧ୍ୟ କୌଣସି ଆଶଙ୍କା ନଥିବାରୁ ବେଲ ପ୍ରଦାନରେ କୌଣସି ଆପତ୍ତି ନାହିଁ ବୋଲି ସରକାରୀ ପକ୍ଷ ଖଣ୍ଡପୀଠଙ୍କୁ କହିଥିଲେ ।
ଏହି ଘଟଣାରେ ଚାଷୀ, ଜଣେ ସାମ୍ବାଦିକଙ୍କ ସମେତ ମୋଟ 8ଜଣଙ୍କ ମୃତ୍ୟୁ ହୋଇଥିଲା । ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇଥିଲେ । ଘଟଣାର ତଦନ୍ତ ଏସଆଇଟି ଦ୍ବାରା ଜାରି ରହିଥିବାବେଳେ ଏହା ଏକ ସଂଯୋଗବଶତଃ ନୁହେଁ ବରଂ ସୁଚିନ୍ତିତ ଷଡଯନ୍ତ୍ର ବୋଲି ଚାର୍ଜସିଟରେ ଦର୍ଶାଇଥିଲା ତଦନ୍ତକାରୀ ଟିମ । ତେବେ ସମସ୍ତ ପ୍ରମାଣ ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଆଶିଷଙ୍କୁ ଜାମିନ ମିଳିଥିଲା । ଫେବୃଆରୀ 10 ତାରିଖରେ ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ ଆହ୍ଲାବାଦ ହାଇକୋର୍ଟ ।
ସେତେବେଳେ ଆଶିଷଙ୍କ ଜାମିନକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏହାକୁ ଚ୍ଯାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ମୃତ ଚାଷୀଙ୍କ ପରିବାର । ଆଜି ଉକ୍ତ ଆବେଦନର ଶୁଣାଣି ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କ ଦ୍ବାରା କରାଯାଇ ରାୟ ସଂରକ୍ଷିତ ରଖାଯାଇଛି । ରାୟ ପ୍ରକାଶ ପାଇଲେ ଆଶିଷଙ୍କ ଜାମିନ ବଳବତ୍ତର ରହିବ ନାଁ ଖାରଜ ହେବା ପରେ ସେ ପୁଣି ଥରେ ଜେଲକୁ ଫେରିବେ ତାକୁ ଅପେକ୍ଷା । କିନ୍ତୁ ଶୁଣାଣି ବେଳେ ସରକାରୀ ପକ୍ଷ ରଖିଥିବା ଯୁକ୍ତି ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ