କୋଲକାତା: ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ନାଁରେ ଲୁକଆଉଟ ନୋଟିସ ଜାରି କଲା କୋଲକାତା ପୋଲିସ । ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ଆପତ୍ତିଜନକ ଟିପ୍ପଣୀ ପାଇଁ ତାଙ୍କ ବିରୁଦ୍ଧରେ କୋଲକାତାର ଏମହର୍ଷ୍ଟ ଷ୍ଟ୍ରିଟ (Amherst Street), ବୁରତାଲା(Burtala) ଏବଂ ନାର୍କେଲଡଙ୍ଗା(Narkeldanga) ଆଦି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା । ପଚରାଉଚରା ପାଇଁ ଥାନାରେ ହାଜର ହେବାକୁ ଅନେକ ଥର ସମନ ପଠାଯାଇଥିଲା । ହେଲେ ନୂପୁର ହାଜର ହୋଇନଥିଲେ । ଗତ ୨୫ ତାରିଖରେ ମଧ୍ୟ ଏମହର୍ଷ୍ଟ ପୋଲିସ ତାଙ୍କୁ ସମନ ପଠାଇଥିଲା । କିନ୍ତୁ ବାରମ୍ବାର ସମନ ସତ୍ତ୍ବେ ସେ ଉପସ୍ଥିତ ନ ହେବା ଯୋଗୁଁ ପୋଲିସ ତାଙ୍କୁ ବିରୁଦ୍ଧରେ ଲୁକଆଉଟ ନୋଟିସ ଜାରି କରିଛି ।
ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ନୂପୁର ଶର୍ମାଙ୍କ ଟିପ୍ପଣୀ ନେଇ ଏବେ ବି ସାରା ଦେଶରେ ଉତ୍ତେଜନା ଲାଗି ରହିଛି । ଏପରିକି ତାଙ୍କୁ ସମର୍ଥନ କରିଥିବା ଲୋକଙ୍କୁ ହତ୍ୟା କରାଯାଉଛି । କିଛି ବ୍ୟକ୍ତିଙ୍କୁ ଫୋନ ଯୋଗେ ହତ୍ୟା ଧମକ ମିଳୁଛି । ନିକଟରେ ସୁପ୍ରିମକୋର୍ଟ ମଧ୍ୟ ନୂପୁର ଶର୍ମାଙ୍କୁ କଡା ଭର୍ତ୍ସନା କରିଥିଲେ । ତାଙ୍କର ଟିପ୍ପଣୀ ପାଇଁ ସାରା ଦେଶରେ ନିଆଁ ଲାଗିଛି । ସେ ପୁରା ଦେଶକୁ କ୍ଷମା ମାଗିବା ଉଚିତ୍ ବୋଲି କହିଥିଲେ ନ୍ୟାୟାଳୟ ।