ରାୟପୁର: ଛତିଶଗଡ଼ର ଜାଞ୍ଜଗିର ଚାମ୍ପା ଜିଲ୍ଲାର ଧାର୍ମିକ ନଗରୀ ଶିବରିନାରାୟାଣ । ଯାହାର ପୌରାଣିକ କଥାବସ୍ତୁ ସହିତ ରହିଛି ଗଭୀର ସମ୍ପର୍କ । ତ୍ରେତୟା ଯୁଗରେ ଏହିଠାରେ ପଡ଼ିଥିଲା ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ପାଦ । ଦିନେ ରାମଙ୍କୁ ଭେଟିବ ବୋଲି ଶବରୀ ମନରେ ଥିବା ଅଗାଢ ବିଶ୍ବାସକୁ ବାସ୍ତବତାର ରୂପ ଦେଇ ଏଇଠି ବନବାସ ସମୟରେ ଶବରୀଠାରୁ ଅଇଁଠା କୋଳି ଖାଇଥିଲେ ପ୍ରଭୁ ରାମଚନ୍ଦ୍ର । ଆଜି ବି ଏହି ସ୍ଥାନଟି ଲୋକଙ୍କ ଆସ୍ଥା ଓ ବିଶ୍ବାସର କେନ୍ଦ୍ରସ୍ଥଳ ହୋଇ ରହିଛି ।
ଜାଞ୍ଜଗିର ଚାମ୍ପା ଜିଲ୍ଲା ସ୍ଥିତ ଶିବରିନାରାୟଣ ସ୍ଥାନକୁ କୁହାଯାଏ ଗୁପ୍ତ ପ୍ରୟାଗ । ଏଠାରେ 3ଟି ନଦୀ ମହାନଦୀ, ଶିବନାଥ ଓ ଜୋକ ନଦୀର ତ୍ରିବେଣୀ ସଙ୍ଗମ ରହିଛି । ଲୋକକଥା ଅନୁସାରେ ଏହି ସ୍ଥାନରେ ପ୍ରଭୁ ରାମଚନ୍ଦ୍ର ଶବରୀଠାରୁ ଅଇଁଠା କୋଳି ଖାଇଥିଲେ । ମାତା ଶବରୀ ଓ ପ୍ରଭୁ ରାମଚନ୍ଦ୍ରଙ୍କ ମଧ୍ୟରେ ଥିବା ଅତୁଟ ପ୍ରେମ, ଶ୍ରଦ୍ଧାଭାବ ଯୋଗୁଁ ପରବର୍ତ୍ତୀ ସମୟରେ ଏହି ସ୍ଥାନକୁ ଶିବରିନାରାୟଣ କୁହାଯାଇଥିଲା । ଏଠାରେ ଥିବା ବହୁ ପୁରାତନ ବର ଗଛକୁ 'ଅକ୍ଷତ ବଟ ବୃକ୍ଷ' ବୋଲି କୁହାଯାଏ । ଏହି ବର ଗଛର ପତ୍ର ଅନ୍ୟ ଗଛଠୁ ଭିନ୍ନ । ପତ୍ରଗୁଡ଼ିକ ଖାଇବା ପାତ୍ର ପରି ଦିଶେ । ବିଶ୍ବାସ ରହିଛି ଏହି ପତ୍ରରେ ପ୍ରଭୁ ରାମଚନ୍ଦ୍ରକୁ ମାତା ଶବରୀ ଫଳ ଖାଇବାକୁ ଦେଇଥିଲେ ।
ଏହା ବି ପଢନ୍ତୁ- ରାମଲାଲାଙ୍କ ଭବ୍ୟ ମନ୍ଦିର ପାଇଁ ଜଟଣୀରୁ ଗଲା ପବିତ୍ର ମାଟି ଓ ନଦୀଜଳ
ଏ ନେଇ ଜଣେ ସ୍ଥାନୀଯ ପୂଜାରୀ କହିଛନ୍ତି, "ଅକ୍ଷତ ବଟ ବୃକ୍ଷ ତିନୋଟି ଯୁଗରେ ଅବସ୍ଥିତ । ପ୍ରଳୟ କାଳରେ ଭଗବାନ ଏହି ବୃକ୍ଷ ଉପରେ ବସି ଦେଖିଥିଲେ । ଆଉ ଏହି ବୃକ୍ଷର ପତ୍ରରେ ମାତା ଶବରୀ ପ୍ରଭୁ ରାମଚନ୍ଦ୍ରଙ୍କୁ ଫଳ ଖାଇବାକୁ ଦେଇଥିଲେ ।" ସେପଟେ ଏ ନେଇ ନାରାୟଣ ମନ୍ଦିରର ପୂଜାରୀ ପ୍ରସନ୍ନଜିତ ତିୱାରି କହିଛନ୍ତି, " ଶିବରିନାରାୟଣ ମାତା ଶବରୀଙ୍କ ଜନ୍ମସ୍ଥାନ । ପ୍ରଭୁ ଶ୍ରୀରାମ ବନବାସ ସମୟରେ ଏଠାକୁ ଆସିଥିଲେ ଓ ବିଶ୍ରାମ କରିଥିଲେ । ଏଥିଲାଗି ଏହି ଗାଁର ନାମ ପୂର୍ବରୁ ଶିବରି ଓ ପରେ ନାରାୟଣ ଆସିବା ପରେ ଶିବରି ନାରାୟଣ ରଖାଯାଇଥିଲା । ମାଘ ପୂର୍ଣ୍ଣିମା ଦୀର୍ଘ 15 ଦିନ ଧରି ଏଠାରେ ମେଳା ହୋଇଥାଏ ।"
ଜାନୁଆରୀ 22ରେ ବିଶେଷ ପୂଜା:- ଆସନ୍ତା 22 ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏନେଇ ଶିବରି ନାରାୟଣ ମଠ ମନ୍ଦିରକୁ ରଙ୍ଗ ବେରଙ୍ଗର ପୁଷ୍ପରେ ସୁସଜ୍ଜିତ କରାଯାଇଛି । ଏଠାରେ ସେହି ଦିନ 11 ହଜାର ଦୀପ ପ୍ରଜ୍ଜ୍ବଳିତ କରାଯିବ । ଅଯୋଧ୍ୟାରେ ଯେତେବେଳେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ଠିକ ସେହି ସମୟରେ ଏଠାରେ ରାମ ସରକାରଙ୍କ ପୂଜା କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ