ଥିରୁଅନନ୍ତପୁରମ: ବିବାହରେ ବାଧା ସାଜିପାରିନି ପ୍ରଳୟଙ୍କାରୀ ବନ୍ୟା । ଚାରିଆଡେ ଜଳମଗ୍ନ ଥିବା ବେଳେ ବିବାହ ମଣ୍ଡପକୁ ଭୋଜି ହଣ୍ଡାରେ ବସି ପହଞ୍ଚିଛନ୍ତି ବରକନ୍ୟା । ଏଭଳି ଦୃଶ୍ୟ କେରଳର ଅଲପୁଝା ଅଞ୍ଚଳରେ ଦେଖିବାକୁ ମିଳିଛି । କେରଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୋମବାର ଅଲପୁଝା ଅଞ୍ଚଳରୁ ଆସିଛି ଏଭଳି କିଛି ଦୃଶ୍ୟ । ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ସାହାସୀ ବରକନ୍ୟା ଥଲାଭାଡି ପନାୟାନ୍ନୁରକାଭୁ ଦେବୀ ମନ୍ଦିରରେ ବିବାହ କରିବାର ଯୋଜନା ଥିଲା । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ମନ୍ଦିର ପରିସର ଜଳମଗ୍ନ ଅବସ୍ଥାରେ ରହିଛି । ଏହି ମନ୍ଦିର ନିକଟରେ ପହଞ୍ଚିବା ପାଇଁ ଉଭୟ ବରକନ୍ୟାର ସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ବିବାହ ମଣ୍ଡପରେ ବରକନ୍ୟାଙ୍କୁ ପହଞ୍ଚାଇବା ପାଇଁ ଏଭଳି ଉପାୟ ଆପଣେଇଥିଲେ ପରିବାର ବର୍ଗ । ବରକନ୍ୟାଙ୍କୁ ଏକ ବଡ଼ ଭୋଜି ହଣ୍ଡାରେ ବସାଇ ପ୍ରାୟ ମନ୍ଦିରର ଅଧା କିଲୋମିଟର ଦୂରରୁ ସଫଳତାର ସହିତ ମନ୍ଦିର ନିକଟରେ ପହଞ୍ଚାଇଥିଲେ ।
ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସଠିକ ସମୟରେ ବାହାଘର କରିବା ପାଇଁ ଏଭଳି ଉପାୟ ଆପଣେଇବା ପାଇଁ ଚିନ୍ତା କରିଥିଲେ ବର ଆକାଶଙ୍କ ମାଆ ଓମାନା । ତେବେ ଆକାଶ ଓ ଐଶ୍ବର୍ଯ୍ୟା ପ୍ରେମ ବିବାହ କରିବାକୁ ଯାଉଛନ୍ତି । ସେମାନେ ଗତବର୍ଷ ଚେନାଗନ୍ନୁରର ଏକ ଘରୋଇ ହସ୍ପିଟାଲରେ କୋଭିଡ଼ ଡ୍ୟୁଟି କରିବା ସମୟରେ ପରସ୍ପରର ପ୍ରେମରେ ପଡିଥିଲେ । ଆକାଶ କ୍ଲିନିକାଲ ଷ୍ଟାଫ ଭାବେ କାର୍ଯ୍ୟ କରୁଥିବା ବେଳେ ଐଶ୍ବର୍ଯ୍ୟା ନର୍ସ ଭାବେ କାମ କରିଥାନ୍ତି ।
ତେବେ ବର୍ତ୍ତମାନ କୋରୋନା କଟକଣା ଯୋଗୁଁ ଏମାନଙ୍କ ବିବାହ ଉତ୍ସବରେ କେବଳ କିଛି ଘନିଷ୍ଠ ସମ୍ପର୍କୀୟ ସାମିଲ ହେବାର ଯୋଜନା ରହିଥିଲା । କିନ୍ତୁ ରାଜ୍ୟରେ ହଠାତ୍ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ପୂର୍ବ ନିର୍ଦ୍ଧାରିତ ସମୟରେ ଉଭୟଙ୍କ ବିବାହ ହୋଇଛି । ବିବାହରେ ଥିବା ସମସ୍ତ ଉତ୍ସବକୁ ପାଳନ କରିନାହାନ୍ତି ପରିବାର ବର୍ଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ