ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘରେଘରେ ରାସନ ବିତରଣ ଯୋଜନା କାର୍ଯ୍ୟକାରୀ ପାଇଁ ଅନୁମତି ମାଗିଲେ କେଜ୍ରିୱାଲ । ମଙ୍ଗଳବାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଚିଠିରେ କହିଛନ୍ତି, ଆଜି ପର୍ଯ୍ୟନ୍ତ ମୁଁ ଜାତୀୟ ସ୍ବାର୍ଥଭିତ୍ତିକ ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସମର୍ଥନ କରିଛି । ଆପଣ ମଧ୍ୟ ଏଥିପାଇଁ ସମର୍ଥନ ଦେବା ଉଚିତ୍ । କୋଭିଡ ସମୟରେ ଏହି ଡୋରଷ୍ଟେପ ରାସନ ଡେଲିଭରି ଯୋଜନା ବା ଘରେଘରେ ରାସନ ବିତରଣ ଯୋଜନା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବା ଉଚିତ୍ । କେନ୍ଦ୍ର ସରକାର ଯାହା ଚାହୁଁଛନ୍ତି ଆମେ ସେସବୁ କରିବାକୁ ପ୍ରସ୍ତୁତ । ଏଣୁ ଦିଲ୍ଲୀର 70 ଲକ୍ଷ ଗରୀବ ଲୋକଙ୍କ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଅନୁମତି ଦେବାକୁ ମୁଁ ଅନୁରୋଧ କରୁଛି ବୋଲି କେଜ୍ରିୱାଲ ଉଲ୍ଲେଖ କରିଛନ୍ତି ।
ସୂଚନାଥାଉ କି, ଦିଲ୍ଲୀ ସରକାର ଏହି ଡୋରଷ୍ଟେପ ରାସନ ଡେଲିଭରି ରାସନ ବିତରଣ ଯୋଜନା ଆରମ୍ଭ କରିଥିଲେ । ମାତ୍ର ଯୋଜନା କାର୍ଯ୍ୟକାରୀ ହେବାର ମାତ୍ର ଦୁଇ ଦିନ ପରେ କେନ୍ଦ୍ର ଏହାକୁ ବନ୍ଦ କରିଦେଇଛି । ଯାହାକୁ ନେଇ ଖୁବ୍ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ