ଦିଲ୍ଲୀ: ଦେଶରେ ଅନେକ ଲୋକଙ୍କ ଜୀବନ ନେଲାଣି ମହାମାରୀ । ଇତିମଧ୍ୟରେ ବହୁସଂଖ୍ୟକ କାର୍ଯ୍ୟରତ ଡାକ୍ତରଙ୍କ ମଧ୍ୟ ମୃତ୍ୟୁ ଘଟିଲାଣି । ଦେଶରେ କୋରୋନାରେ ପ୍ରାଣ ହରାଇଥିବା ସବୁଠୁ କମ୍ ବୟସ୍କ ଡାକ୍ତର ହେଉଛନ୍ତି 26 ବର୍ଷୀୟ ଡାକ୍ତର ଆନସ ମୁଜାହିଦ । ଦିଲ୍ଲୀ ଗୁରୁ ତେଗ୍ ବାହାଦୂର ହସ୍ପିଟାଲରେ କାର୍ଯ୍ୟରତ ଥିବା ଆନସ ନିକଟରେ ପ୍ରାଣ ହରାଇଛନ୍ତି । ଏନେଇ କ୍ଷତିପୂରଣ ଭାବେ ଆନସଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ 1 କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ଆନସଙ୍କ ଭଳି ଅନେକ ସମ୍ମୁଖ ଯୋଦ୍ଧା ଦିଲ୍ଲୀବାସୀଙ୍କୁ ନିରନ୍ତର ସେବା ଯୋଗାଉଛନ୍ତି । ଯେଉଁ କାରଣରୁ ଆମେ ସମସ୍ତେ ଆଜି ଜୀବନ ଧାରଣ କରିଛୁ । ଡ଼ ଆନସଙ୍କ ବିୟୋଗ ପରେ ମୁଁ ତାଙ୍କ ପିତାଙ୍କ ସହ କଥାବର୍ତ୍ତା କରିଥିଲି ଏବଂ ଭବିଷ୍ୟତରେ ସବୁ ପ୍ରକାର ସାହାଯ୍ୟ ଯୋଗାଇବାକୁ ନିଶ୍ଚିତ କରିଥିଲି । ହେଲେ ତାଙ୍କ ପରିବାରକୁ କିଛି ସାହାଯ୍ୟ ଦରକାର ନାହିଁ । ସେମାନଙ୍କ ଏକମାତ୍ର ଇଚ୍ଛା ରାଷ୍ଟ୍ରର ସେବା କରିବା ବୋଲି ତାଙ୍କ ପିତା କହିଥିଲେ । ଯାହାକୁ ମୁଁ ସ୍ୟାଲୁଟ କରୁଛି ଏବଂ ଭବିଷ୍ୟତରେ ସେମାନଙ୍କ ଆବଶ୍ୟକସ୍ଥଳେ ଆମେ ତାଙ୍କ ପାଖରେ ଠିଆ ହେବୁ ବୋଲି କେଜ୍ରିୱାଲ ପ୍ରକାଶ କରିଛନ୍ତି ।
ଡ଼ ଆନସ ଦିଲ୍ଲୀ ଭାଗିରଥି ବିହାରରେ ନିଜ ତିନି ଭାଇ, ଗୋଟିଏ ଭଉଣୀ ଓ ବାପାମାଆଙ୍କ ସହ ରହିଆସୁଥିଲେ । ସେ ଦିଲ୍ଲୀ ଜିଟିବି ହସ୍ପିଟାଲରେ ଜୁନିୟର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ । ଗତ ମେ 9 ତାରିଖରେ ଆନସ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଇଣ୍ଟ୍ରାକ୍ରାନିଆଲ ବ୍ଲିଡିଂ ଯୋଗୁଁ କୋରୋନା ପଜିଟିଭ ଆସିବାର କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ