ଗାନ୍ଧୀନଗର: ଚଳିତ ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି ଗୁଜୁରାଟ ବିଧାନସଭା ନିର୍ବାଚନ । ତେବେ ଏଥିରେ ଶାସକ ବିଜେପିକୁ କଡା ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବଧୀନ ଆମ ଆଦମୀ ପାର୍ଟି (Delhi Chief Minister Kejriwal) । ତେବେ କି’ଏ ହେବ AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସେ ନେଇ ନିଷ୍ପତ୍ତି ନେବେ ଗୁଜୁରାଟବାସୀ । ନିଜ ମୁଖ୍ୟମନ୍ତ୍ରୀ ନିଜେ ବାଛନ୍ତୁ ନାମର ଏକ କ୍ୟାମ୍ପେନ ଆରମ୍ଭ କରିବାକୁ ଯାଉଛନ୍ତି ଆପ ମୁଖ୍ୟ କେଜ୍ରିଓ୍ବାଲ । ଏହି କ୍ୟାମ୍ପେନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଲୋକଙ୍କ ମତାମତ ସଂଗ୍ରହ କରିବ ଦଳ । ପରେ ଏହି ଜନମତ ଆଧାରରେ ଦଳ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ନେଇ ସେ ସୂଚନା ଦେଇଛନ୍ତି ।
ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ କେଜ୍ରିଓ୍ବାଲ କହିଛନ୍ତି, ‘‘ଆପଣଙ୍କ ମୁଖ୍ୟମନ୍ତ୍ରୀ କିଏ ହେବେ ସକଥା ଆପଣମାନେ ହିଁ ସ୍ଥିର କରିବେ । ଏଥିପାଇଁ ଆମେ ଏକ ଫୋନ ନମ୍ବର ଓ ମେଲ ଆଇଡିି ଜାରି କରିବୁ । ଉକ୍ତ ନମ୍ବରରେ ଆପଣ ନିଜ ପସନ୍ଦର ଯୋଗ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀଙ୍କ ନାମ ସୁପାରିଶ କରିପାରିବେ । ନଭେମ୍ବର ୩ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଏହି ନମ୍ବରରେ ଗୁଜୁରାଟବାସୀ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କ ନାମ ପ୍ରଦାନ କରିପାରିବେ । ପରଦିନ ଅର୍ଥାତ ନଭେମ୍ବର ୪ ତାରିଖରେ ଗ୍ରହଣ କରାଯାଇଥିବା ଜନମତ ଆଧାରରେ ଦଳ ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ।
ତେବେ ପୂର୍ବରୁ ମଧ୍ୟ AAP ଏହି ପ୍ରକ୍ରିୟା ପଞ୍ଜାବରେ କାର୍ଯ୍ୟକାରୀ କରିସାରିଛି । ଜନତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ପ୍ରସ୍ତାବ ଆଧାରରେ ଭାଗଓ୍ବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା ଦଳ । ପରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବା ସହ ସରକାର ଗଠନ କରିଥିଲା । ପୂର୍ବ ଘୋଷଣା ମୁତାବକ ଭାଗଓ୍ବାନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।
ତେବେ କେଜ୍ରିଓ୍ବାଲ କରିଥିବା ସଂମ୍ବୋଧନରେ ନିଜ ଦଳର ଏଜେଣ୍ଡା ସ୍ପଷ୍ଟ କରିବା ସହ ରାଜ୍ୟରେ ଶାସନରେ ଥିବା ବିଜେପି ଉପରେ ମଧ୍ୟ ବର୍ଷିଥିଲେ । ଆଗାମୀ ପାଞ୍ଚ ବର୍ଷ ପାଇଁ ବିଜେପିର ଏଜେଣ୍ଡା ସ୍ପଷ୍ଟ ନାହିଁ । ସାରା ଦେଶରେ ଲୋକେ ଦରଦାମ ବୃଦ୍ଧି ପାଇଁ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି ବୋଲି କେଜ୍ରିଓ୍ବାଲ ଅଭିଯୋଗ କରିଥିଲେ । ତାଙ୍କ ଦଳ ସରକାରକୁ ଆସିଲେ ଲୋକଙ୍କ ପ୍ରକୃତ ସମସ୍ୟା ସମାଧାନ କରିବା ଦିଗରେ କାର୍ଯ୍ୟ କରିବ ବୋଲି ସେ ପ୍ରତିଶୃତି ଦେଇଥିଲେ ।
୧୮୨ ଆସନ ବିଶିଷ୍ଟ ରାଜ୍ୟରେ ବିଜେପି ୧୧୧ ଆସନ ସହ ସରକାରରେ ଥିବାବେଳେ ୬୨ ଆସନ ସହ କଂଗ୍ରେସ ବିରୋଧୀ ଦଳ ଭୂମିକାରେ ରହିଛି । ତେବେ ପଞ୍ଜାବରେ ସରକାର ଗଠନ କରିବା ପରେ ଗୁଜୁରାଟରେ ମଧ୍ୟ କ୍ଷମତା ହାତେଇବାକୁ ସମସ୍ତ ପ୍ରୟାସ ଆରମ୍ଭ କରି ସାରିଛି କେଜ୍ରିଓ୍ବାଲଙ୍କ ନେତୃତ୍ବଧୀନ ଆମ ଆଦମୀ ପାର୍ଟି । ରାଜ୍ୟରେ ବିଜେପିକୁ ହଟାଇ ବିକଳ୍ପ ଭାବେ କ୍ଷମତା ହାତେଇବାକୁ ଦଳ ଦମ୍ଭୋକ୍ତ ଦେଖାଇବା ଦିଲ୍ଲୀ ମଡେଲରେ ପ୍ରତିଶୃତି ମଧ୍ୟ ଦେବାରେ ଲାଗିଛି ।