ଗୌହାଟୀ: ଏକ ସିଙ୍ଗିଆ ଗଣ୍ଡା ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରତିଷ୍ଠା ହେବ ପାଞ୍ଚ ତାରକା ହୋଟେଲ (Kaziranga will soon get a 5 star hotel)। ରାତିରେ ଜାତୀୟ ଉଦ୍ୟାନ ମଧ୍ୟରେ ରହିବାର ସୁବିଧା ପାଇପାରିବେ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକ । ଏନେଇ ଆସାମ ପର୍ଯ୍ୟଟନ ବିକାଶ ପରିଷଦ ଦ୍ବାରା ସୁପାରିଶ କରାଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏନେଇ ଆସାମ ପର୍ଯ୍ୟଟନ ମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ ସୂଚନା ଦେଇଛନ୍ତି ।
ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପରେ ବିଭାଗୀୟ ମନ୍ତ୍ରୀ ବରୁଆ କହିଛନ୍ତି, ପର୍ଯ୍ୟଟନ ବିକାଶ ପରିଷଦ ପ୍ରସ୍ତାବର ଅନୁସାରେ,ଜାତୀୟ ଉଦ୍ୟାନ ପରିସରରେ ଗୋଲଘାଟ ଜିଲ୍ଲାରେ ଏହି ପାଞ୍ଚ ତାରକା ହୋଟେଲ ପ୍ରତିଷ୍ଠା ହେବା ନେଇ ପ୍ରାଥମିକ ଭାବେ ସ୍ଥାନ ସ୍ଥିର କରାଯାଇଛି । ଏକ ଘରୋଇ କମ୍ପାନୀ ଏହି ହୋଟେଲ ନିର୍ମାଣ କରି ପର୍ଯ୍ୟଟକଙ୍କୁ ସେବା ଯୋଗାଇବା ପାଇଁ ଆଗ୍ରହ ମଧ୍ୟ ପ୍ରକାଶ କରିଛି । ଏଥିପାଇଁ ସରକାର ଆବଶ୍ୟକ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବେ ।
ହେଟେଲ ପ୍ରତିଷ୍ଠା ହେବା ପରେ ପର୍ଯ୍ୟଟକମାନେ ରାତ୍ରିରହଣୀର ସୁବିଧା ପାଇପାରିବେ । ଅଧିକରୁ ଅଧିକ ପର୍ଯ୍ୟଟକ ମଧ୍ୟ ଜାତୀୟ ଉଦ୍ୟାନ ବୁଲିବା ପାଇଁ ଆସିବାକୁ ଆଗ୍ରହ ପ୍ରକାଶ କରିବେ । ସାରା ବିଶ୍ବରେ ବନ୍ୟପ୍ରାଣୀ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ । କେବଳ ଦେଶ ନୁହେଁ ସମଗ୍ର ବିଶ୍ବର ବିଭିନ୍ନ କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ଏହି ଜାତୀୟ ଉଦ୍ୟାନ ପରିଭ୍ରମଣ କରିବାକୁ ଆସିଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ