ନୂଆଦିଲ୍ଲୀ: ୧୯୯୦ରେ କାଶ୍ମୀର ଘାଟିରେ ଘଟିଥିବା କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ଓ ପଳାୟନ ଘଟଣାରେ ପୁଣି ଥରେ ତଦନ୍ତ ଦାବି କରି ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି କାଶ୍ମୀର ପଣ୍ଡିତ ସଂଗଠନ । ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBI କମ୍ବା ଜାତୀୟ ତଦନ୍ତକାରୀ ସଂସ୍ଥା NIA ଦ୍ବାରା କରାଇବା ପାଇଁ ଆବେଦନରେ ଦର୍ଶାଇଛି ଆବେଦନକାରୀ ସଂଗଠନ ।
୧୯୮୯-୯୦ ରେ ଘଟିଥିବା ଏହି ବହୁଚର୍ଚ୍ଚିତ ପଳାୟନ ଘଟଣାକୁ ୩୦ ବର୍ଷ ବିତିଥିଲେ ମଧ୍ୟ ତାହା ଏବେ ପୁଣି ଥରେ ଚର୍ଚ୍ଚାର ମୁଖ୍ୟସ୍ରୋତକୁ ଆସିଛି । ଆବେଦନକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ରିଟ୍ ପିଟିସନ ପାଇଁ ସୁପ୍ରିମକୋର୍ଟ ବାର ଆସୋସିଏସନର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ବିକାଶ ସିଂଙ୍କ ପକ୍ଷରୁ ପ୍ରମାଣପତ୍ର ଜାରି କରାଯାଇଛି ।
ଏହି ଘଟଣାରେ ସେତେବେଳେ ଦାଏର ହୋଇଥିବା ହତ୍ୟା, ଦୁଷ୍କର୍ମ ଓ ନିର୍ଯାତନା ପରି ସମସ୍ତ ଏତଲା ଓ ମାମଲାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI ଓ NIA କୁ ହସ୍ତାନ୍ତର କରିବା ସହ ତୁରନ୍ତ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ନେଇ ପିଟିସନରେ ଦାବି କରାଯାଇଛି । ଘଟଣା ପରେ ଏକାଧିକ ମାମଲା ଦାଏର ହୋଇଥିଲା ବେଳେ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିଲା । ଏପର୍ଯ୍ୟନ୍ତ ଏହି ଜଘନ୍ୟ କାଣ୍ଡରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ନଜରକୁ ଆସିନାହିଁ ।
କାଶ୍ମୀର ଫାଇଲ୍ସ ଚଳଚିତ୍ର ରିଲିଜ ହେବା ପରେ ଏହି ଘଟଣା ପୁଣିଥରେ ଲୋକଙ୍କ ମନରେ ତାଜା ହୋଇଥିବା ବେଳେ କାଶ୍ମୀର ପଣ୍ଡିତଙ୍କୁ ନ୍ୟାୟ ପ୍ରଦାନ ଓ ସେମାନଙ୍କ ଜନ୍ମଗତ ଅଧିକାର ଫେରାଇବା ପାଇଁ ମଧ୍ୟ ଦାବି ବଢିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ