ଶ୍ରୀନଗର: କାଶ୍ମୀରରେ ପର୍ଯ୍ୟଟନ ଏବଂ ପ୍ରସିଦ୍ଧ ଡାଲ ହ୍ରଦର ଐଶ୍ବର୍ଯ୍ୟ ହାଉସବୋଟ ବା ଘର ଡଙ୍ଗା । ଆଉ ଏହା ବିନା ଅସମ୍ପୂର୍ଣ୍ଣ , ଅଧୁରା ଭୂସ୍ବର୍ଗ । ସୁନ୍ଦର ହ୍ରଦ ଉପରେ ଭାସୁଥିବା ଆକର୍ଷଣୀୟ-ସାନଦାର ହାଉସବୋଟ କାଶ୍ମୀରର ଅପରୂପ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ । ତେବେ କର୍ତ୍ତୃପକ୍ଷଙ୍କ ଉଦାସୀନତା ଏବଂ ଅଣଦେଖା ଯୋଗୁଁ ଏହି ଐତିହାସିକ ଐତିହ୍ୟ ବିଲୁପ୍ତ ହେବାକୁ ଯାଉଛି । ଯେଉଁଥିପାଇଁ ଏଠାକାର ହାଉସବୋଟ ମାଲିକଙ୍କ ଉଡିଯାଇଛି ନିଦ ।
ଜଣେ ଉଚ୍ଚ ଦକ୍ଷସମ୍ପର୍ଣ୍ଣ ବଢେଇ ସବୁଠୁ ଭଲ ଏରସ କାଠରୁ ଗୋଟିଏ ହାଉସବୋଟ ତିଆରି ପାଇଁ ପ୍ରାୟ ବର୍ଷେରୁ ଅଧିକ ସମୟ ନେଇଥାଏ । ହାଉସବୋଟର ଭିତର ଓ ବାହାର ଭାଗକୁ କାଠ ମାଧ୍ୟମରେ ନିଖୁଣ ଭାବେ ସଜାଇଥାନ୍ତି କାଶ୍ମୀର କାରୀଗର । ଏଭଳି ଭାବେ ଫ୍ଲୋଟିଂ ବା ଭାସମାନ ହୋଟେଲ କାଶ୍ମୀରର ଐତିହ୍ୟ ଏବଂ କାରିଗରମାନଙ୍କ ଦକ୍ଷତାକୁ ପ୍ରତିଫଳିତ କରିଥାଏ । କାରିଗରମାନଙ୍କର ଏହି ଶ୍ରମସାଧକ ପ୍ରୟାସ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ସାଜିଥାଏ ବଡ ମାଧ୍ୟମ।
କାଶ୍ମୀରରେ ଏକ ପର୍ଯ୍ୟଟନ ଶିଳ୍ପ ଭାବରେ ହାଉସବୋଟର ଅସ୍ତିତ୍ବ ଏକ ନିର୍ଦ୍ଦିଷ୍ଟ ସମୟରେ ଉଭା ହୋଇଥିଲା । 1838 ମସିହା, ଯେତେବେଳେ ବ୍ରିଟିଶମାନେ ଭାରତକୁ ଶାସନ କରୁଥିଲେ, ସେହି ସମୟରେ ଅଧିକାରୀମାନେ ଛୁଟି କାଟିବାକୁ କାଶ୍ମୀର ମୁହାଁ ହେଲେ । ଆଉ ସେମାନେ ହିଁ ଏହି କ୍ଷେତ୍ରରେ ପର୍ଯ୍ୟଟନ ଶିଳ୍ପ ଆରମ୍ଭ କରିଥିଲେ । ଏହି ଅଧିକାରୀମାନେ ଡାଲ ହ୍ରଦର ହାଉସବୋଟ ଭିତରେ ରହୁଥିଲେ । ତେବେ ହ୍ରଦରେ ଭାସୁଥିବା ବୋଟ ଗୁଡ଼ିକ ପୁରୁଣା ଦିନରେ ସେତିକି ଆକର୍ଷଣୀୟ ନଥିଲା ଯେତେ , ଆଜିକାଲି ଦେଖିବାକୁ ମିଳୁଛି ।
ଏଭଳି ସମୟ ଥିଲା , ଯେବେ ହ୍ରଦ କୂଳରେ ଅନେକ ସଂଖ୍ୟକ ହାଉସବୋଟ ଠିଆ ହେଉଥିଲା , ହେଲେ ଆଜି ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ସଂଖ୍ୟା କମିଚାଲିଛି । ସମ୍ପର୍ଣ୍ଣ କାଠରେ ତିଆରି ଭାସ୍ୟମାନ ଏହି ସୁନ୍ଦର ଅସ୍ଥାୟୀ ବୋଟର ରକ୍ଷଣାବେକ୍ଷଣାରେ ଆଉ ବିଳମ୍ବ ଗ୍ରହଣୀୟ ନୁହେଁ । କାରଣ ଏସବୁ ପ୍ରତି ସ୍ଥାନୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କାଶ୍ମୀରର ସୁନ୍ଦରତା ଫିକା ହେଉଛି , ପର୍ଯ୍ୟଟକ ଉତ୍କଣ୍ଠା କମୁଛି ।
କାଶ୍ମୀରରେ 1080 ହାଉସବୋଟ ଥିଲା । କିନ୍ତୁ ଏବେ ସେହି ସଂଖ୍ୟା ହ୍ରାସ ହୋଇ 900ରେ ପହଞ୍ଚିଛି । ଅନେକ ହାଉସବୋଟ ମରାମତି କରିବା ଆବଶ୍ୟକ ରହିଛି । କିନ୍ତୁ ସେମାନଙ୍କ ମାଲିକଙ୍କ ପାଖରେ ଏଥିପାଇଁ ଟଙ୍କା ନାହିଁ । ସରକାରୀ ସହାୟତାର ମଧ୍ୟ ଅଭାବ ଅଛି ।
1983 ମସିହାରେ ସରକାର ନୂଆ ହାଉସବୋଟ ତିଆରି ଉପରେ ରୋକ ଲଗାଇଦେଇଛନ୍ତି । ଆଉ ତା ପରଠୁ କୌଣସି ପ୍ରକାର ସମୀକ୍ଷା ହୋଇନାହିଁ କି ପ୍ରତିବନ୍ଧକ ହଟୁନି । ଆଉ ଏହି ଅବହେଳା ସରକାରୀ ଉଦାସୀନତା ପାଇଁ କାଶ୍ମର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହେଉଥିବା ହାଉସବୋଟ ମାଲିକ ଅଭିଯୋଗ କରିଛନ୍ତି । ଯଦି ନୂଆ ହାଉସବୋଟ ତିଆରି ହେବା ସମ୍ଭବ ନୁହେଁ , ଅତନ୍ତ ପୁରୁଣାକୁ ଠିକ ପାଇଁ ବ୍ୟବସ୍ଥା ଜରୁରୀ ବୋଲି ଦାବି ଉଠିଛି ।
ଡାଲ ହ୍ରଦରେ ଶିକାରା ରାଲି ଓ ହାଉସବୋଟ କାଶ୍ମୀରର ସୁନ୍ଦରତାକୁ ଦ୍ବୁଗୁଣିତ କରେ । ଆଉ ଏହା ବିନା ଏଠାକାର ପର୍ଯ୍ୟଟନ ଶିଳ୍ପ ଅଧୁରା । ଏଣୁ ଏହାର ରକ୍ଷଣାବେକ୍ଷଣା ସହ ପୁନଃରୁଦ୍ଧାର ଜରୁରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ