ବେଙ୍ଗାଲୁରୁ: ପୁଣିଥରେ କର୍ଣ୍ଣାଟକରୁ ରାଜ୍ୟସଭା ଯାଇପାରନ୍ତି ( Rajya Sabha polls) ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କର୍ଣ୍ଣାଟକ ବିଜେପି କୋର କମିଟି ବୈଠକରେ(BJP core committee) ରାଜ୍ୟସଭା ପ୍ରାର୍ଥୀ ଭାବେ ସୀତାରମଣଙ୍କ ନାମ ସୁପାରିଶ କରାଯାଇଛି । ତେଣୁ ଦ୍ବିତୀୟ ଥର ପାଇଁ ସେ କର୍ଣ୍ଣାଟକ ରାସ୍ତା ଦେଇ ରାଜ୍ୟସଭା ପହଞ୍ଚିପାରନ୍ତି । ତେବେ ଏନେଇ ଦଳର ହାଇକମାଣ୍ଡ ଚୂଡାନ୍ତ ନିଷ୍ପତ୍ତି ନେବେ । 2014 ମସିହାରେ ନିର୍ମଳା ସୀତାରମଣ କର୍ଣ୍ଣାଟକରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଆସନ୍ତା ମାସରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି ।
ଶନିବାର କର୍ଣ୍ଣାଟକ ବିଜେପିର କୋର କମିଟି ବୈଠକ ବସିଥିଲା । ବୈଠକରେ ରାଜ୍ୟର 4 ରାଜ୍ୟସଭା ଆସନ ଏବଂ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଚର୍ଚ୍ଚା ହୋଇଛି । ଏଥିରେ ସୀତାରମଣଙ୍କ ବ୍ୟତୀତ ଅନ୍ୟ ଆସନ ପାଇଁ କେସି ରାମମୂର୍ତ୍ତି(K.C. Ramamurthy), ଲହର ସିଂହ(Lehar Singh) ଏବଂ ରାଜ୍ୟ ବିଜେପି ଉପସଭାପତି ନିର୍ମଳ କୁମାର ସୁରାନାଙ୍କ (Nirmal Kumar Surana) ନାମ ରାଜ୍ୟସଭା ପ୍ରାର୍ଥୀ ନିମନ୍ତେ ସୁପାରିଶ କରାଯାଇଛି । କେବଳ ବିଜେପି ହାଇକମାଣ୍ଡ ଏହା ଉପରେ ମୋହର ମାରିବେ ।
ପ୍ରକାଶଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ, ବିଜେପି ରାଜ୍ୟସଭା ସଦସ୍ୟ କେସି ରାମମୂର୍ତ୍ତୀ ଏବଂ କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେଉଛି । ଚତୁର୍ଥ ଆସନଟି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ନାଣ୍ଡିଜଙ୍କ(Oscar Fernandez) ମୃତ୍ୟୁ ପରେ ଖାଲି ପଡିଛି । ଜୁନ 10 ତାରିଖରେ କର୍ଣ୍ଣାଟକରେ 4 ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ