ବେଙ୍ଗାଲୁର : ଏଣିକି ପ୍ରତ୍ୟେକ ସ୍କୁଲ ଓ କଲେଜରେ ପଢାଯିବ ଭାଗବତ ଗୀତା । କର୍ଣ୍ଣାଟକ ପାଠ୍ୟକ୍ରମରେ ସାମିଲ ହେବ ହିନ୍ଦୁ ଧର୍ମଗ୍ରନ୍ଥ ଭାଗବତ ଗୀତା । ଏନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ବି.ନାଗେଶ ଆଜି ଘୋଷଣା କରିଛନ୍ତି । ଶିକ୍ଷାମନ୍ତ୍ରୀ ବି.ନାଗେଶ କହିଛନ୍ତି, ଯେ ଚଳିତ ବର୍ଷ କର୍ଣ୍ଣାଟକର ସମସ୍ତ ସ୍କୁଲ ଓ କଲେଜ ପିଲାଙ୍କ ସିଲାବସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି ।
ଯେଉଁଥିରେ ଭାଗବତ ଗୀତାର ଏକ ବିଷୟ ସାମିଲ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ବିଧାନସଭା ଅଧିବେଶନରେ ପ୍ରଶ୍ନର ଉତ୍ତର ଦେବା ବେଳେ ଶିକ୍ଷାମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ଶିକ୍ଷାମନ୍ତ୍ରୀ ବି.ନାଗେଶ ଆହୁରି କହିଛନ୍ତି, ''ଆମେ ଏହି ଶିକ୍ଷାବର୍ଷରୁ ଭାଗବତ ଗୀତା ଶିକ୍ଷା ଆରମ୍ଭ କରିବାକୁ ଚାହୁଁଛୁ । ଏହା ଏକ ନୈତିକ ବିଜ୍ଞାନ ବିଷୟ ଅଧୀନରେ ଶିକ୍ଷା ଦିଆଯିବ । ଏନେଇ ଅନେକ ଆଲୋଚନା ହେଉଛି । ଏହାସହ ଏ ସମ୍ପର୍କରେ ଏକ କମିଟି ଗଠନ ହେବ ଏବଂ ଆମେ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବୁ ।''
ଏହାପରେ ବିଜେପି ଏମଏଲସି ଏମ୍.କେ ପ୍ରଣେଶ ପଚାରିଛନ୍ତି, "ସରକାର କହିଛନ୍ତି ଯେ କର୍ଣ୍ଣାଟକର ଛାତ୍ରଛାତ୍ରୀଙ୍କୁ ଭାଗବତ ଗୀତା ଶିକ୍ଷା ଦେବାକୁ ଏ ପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ନାହିଁ । ତେବେ ବର୍ତ୍ତମାନ କେଉଁଠୁ ଆସିଲା କର୍ଣ୍ଣାଟକର ପିଲାଙ୍କୁ ଭାଗବତ ଗୀତା ଶିକ୍ଷା ଦେବା କଥା ସରକାର ଚିନ୍ତା କରୁଛନ୍ତି ବୋଲି । ସରକାର ଏଥିରେ ଦ୍ବିଧା କରୁଛନ୍ତି କି ? ପ୍ରଥମେ ବିବୃତ୍ତି ପ୍ରଦାନ କରୁଥିବା ବେଳେ ସରକାର ପୂର୍ବରୁ ଦେଖାଇଥିବା ଆଗ୍ରହ କାହିଁକି ଏବେ ଅଣଦେଖା କରୁଛନ୍ତି ? ଏହି ପ୍ରସଙ୍ଗ ବିଭିନ୍ନ ସଂଖ୍ୟାଲଘୁ ଗୋଷ୍ଠୀ ତଥା ଏହାକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ସହ ବିବାଦ ସୃଷ୍ଟି କରିବାର ସମ୍ଭାବନା ରହିଛି ।
ସେପଟେ ଶିକ୍ଷାମନ୍ତ୍ରୀ ବି.ନାଗେଶ ପୂର୍ବରୁ ଘୋଷଣା କରିଥିଲେ ଯେ ଭାଗବତ ଗୀତା ଗୁଜୁରାଟ ରାଜ୍ୟରେ ଶିକ୍ଷା ନୀତି (NEP) ଅନୁଯାୟୀ ଆରମ୍ଭ ହେବ । ଗୁଜୁରାଟ ସରକାର ଏହାକୁ ପାଠ୍ୟ ପୁସ୍ତକରେ(Text Book) ରେ ସାମିଲ କରିବା ପାଇଁ ଘୋଷଣା କରିଛନ୍ତି । ଠିକ ଏହି ଶୈଳୀରେ କର୍ଣ୍ଣାଟକରେ ମଧ୍ୟ ପାଠ୍ୟକ୍ରମରେ ସାମିଲ କରାଯିବ । ତେବେ ଶିକ୍ଷାଗତ ବିଶେଷଜ୍ଞଙ୍କ ସହିତ ପରାମର୍ଶ ପରେ କର୍ଣ୍ଣାଟକରେ ଆରମ୍ଭ ହେବ ।
ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କହିଥିଲେ, '' ଭାଗବତ ଗୀତାକୁ ନୈତିକ ବିଜ୍ଞାନ ବିଷୟର ଏକ ଅଂଶ ଭାବରେ ସିଲାବସରେ ଅନ୍ତର୍ଭୁକ୍ତ କରିବା ତାଙ୍କ ସରକାରଙ୍କ ଆଭିମୁଖ୍ୟ । ସେପଟେ ମନ୍ତ୍ରୀ ମୁରୁଗେଶ ନିରାନୀ କହିଛନ୍ତି ଯେ ଭାଗବତ ଗୀତା ମାନିବକତାର ମୂଲ୍ୟବୋଧର ମହତ୍ତ୍ବ ରହିଛି । ତେଣୁ ଛୋଟ ପିଲାଙ୍କୁ ଏହା ପଢିବା ଆବଶ୍ୟକ, ଯାହାଦ୍ବାରା ସେମାନଙ୍କ ଜ୍ଞାନର ବିକାଶ ହୋଇପାରିବ । ମନ୍ତ୍ରୀ ମୁରୁଗେଶ ଆହୁରି ମଧ୍ୟ କହିଛନ୍ତି, ଗୁଜରାଟ ସରକାର ଭାଗବତ ଗୀତାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ କର୍ଣ୍ଣାଟକରେ ମଧ୍ୟ ଭାଗବତ ଗୀତାଙ୍କୁ ପିଲାମାନଙ୍କୁ ପରିଚିତ କରାଇବା ପାଇଁ ନିଷ୍ପତ୍ତି ନିଆଯିବା ଉଚିତ୍ ।
ପ୍ରକାଶ ଥାଉକି, କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ତନଭୀର ସାଥ କହିଥିଲେ, ''ଭାଗବତ ଗୀତା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବା କୋଭିଡ ମହାମାରୀ ଅପେକ୍ଷା ଅଧିକ ବିପଜ୍ଜନକ ।” ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାର ସ୍ବାମୀ ଏହି ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ ଭାଗବତ ଗୀତାଙ୍କ ଶିକ୍ଷା ଖାଲି ପେଟ ପୂରଣ କରିବ ନାହିଁ ।
ସାରା ରାଜ୍ୟ ଅନେକ ସମସ୍ୟା ଦେଇ ଗତି କରୁଥିବା ବେଳେ ଭାଗବତ ଗୀତା ଶିକ୍ଷା ଲୋକଙ୍କ ପେଟ ପୁରାଇବନି । ଏହାକୁ ନେଇ ବିରୋଧୀଦଳ ନେତା ସିଦ୍ଧରମାୟା କହିଛନ୍ତି ଆମେ ହିନ୍ଦୁ ସଂସ୍କୃତି ଓ ଅନ୍ୟ ସଂସ୍କୃତିକୁ ସମ୍ମାନ ଦେଉ । ତେଣୁ ପାଠ୍ୟକ୍ରମରେ ଭାଗବତ ଗୀତା, ବାଇବେଲ, କୋରାନ ଅନ୍ତର୍ଭୁକ୍ତ ହେବାନେଇ କୌଣସି ଆପତ୍ତି ନାହିଁ । କିନ୍ତୁ ପିଲା ମାନଙ୍କୁ ସଠିକ ଶିକ୍ଷା ଦିଆଯାଉ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ