ମୁମ୍ବାଇ: ଆର୍ଯ୍ୟନ ଖାନଙ୍କ ଜାମିନଦାର ହେଲେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା । ଗତକାଲି (ଗୁରୁବାର) ଦୀର୍ଘ ତିନି ସପ୍ତାହ ପରେ ଜାମିନ ପାଇଛନ୍ତି ଷ୍ଟାର କିଡ ଆର୍ଯ୍ୟନ ଖାନ । ମୁମ୍ବାଇ କ୍ରୃଜ ପାର୍ଟୀ ଡ୍ରଗ୍ସ କେସ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ ଶାହାରୁଖ ଖାନଙ୍କ ପୁଅଙ୍କ ସହ ମୁନମୁନ ଧମେଚା ଓ ଅର୍ବାଜ ମାର୍ଚ୍ଚାଣ୍ଟ ।
ଦୀର୍ଘ ୨୬ ଦିନ ପରେ ବିଶିଷ୍ଟ ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ଆର୍ଯ୍ୟନ ଖାନଙ୍କ ମାମଲା ବମ୍ବେ ହାଇକୋର୍ଟରେ ଲଢିଥିଲେ । ଦୀର୍ଘ ସମୟ କୋର୍ଟରେ ବିଚାର ପରେ ଶେଷର ଆର୍ଯ୍ୟନ ଖାନ ସମେତ ମୁନମୁନ ଧମେଚା ଓ ଅର୍ବାଜ ମାର୍ଚ୍ଚାଣ୍ଟଙ୍କୁ ମିଳିଥିଲା ଜାମିନ । ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ୧ ଲକ୍ଷ ଟଙ୍କାର ବେଲ ବଣ୍ଡରେ ଆର୍ଯ୍ୟନ ଖାନଙ୍କ ଜାମିନଦାର ତଥା ବେଲ ଗ୍ୟାରେଣ୍ଟର ହୋଇଛନ୍ତି । ଏହା ସହିତ କିଛି ନିର୍ଦ୍ଧିଷ୍ଟ ସର୍ତ୍ତ ମଧ୍ୟ ମାନିବେ ଆର୍ଯ୍ୟନ୍ତ । ପ୍ରତି ଶୁକ୍ରବାର ଏନସିବି ଅଫିସରେ ହାଜର ହେବେ । ସେହିପରି ବିଦେଶ ଯାତ୍ରା କରିପାରିବେ ନାହିଁ । ପାସପୋର୍ଟ ଦାଖଲ କରିବେ । ସୋସିଆଲ ମିଡିଆରେ କୌଣସି ଫଟୋ ପୋଷ୍ଟ କରିପାରିବେ ନାହିଁ । ତେବେ ବଲିଉଡ ଷ୍ଟାର ଶାହାରୁଖ ଖାନ ଓ ଅଭିନେତ୍ରୀ ଜୁହି ଚାୱଲା ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ରହିଛି ।
ତେବେ ମୁମ୍ବାଇ ଜେଲରେ ଆଜି ମଧ୍ୟ ରାତି କାଟିବେ ଆର୍ଯ୍ୟନ । ନିର୍ଦ୍ଧାରିତ ସମୟରେ ଦସ୍ତାବିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଆହୁରି ଗୋଟିଏ ଦିନ ଜେଲରେ ରହିବେ ଆର୍ଯ୍ୟନ ।
ଏପଟେ ଆର୍ଯ୍ୟନଙ୍କୁ ସ୍ବାଗତ କରିବା ପାଇଁ ଶାହାରୁଖ ଖାନଙ୍କ ଆବାସ ମନ୍ନତରେ ଜୋରାଦର ପ୍ରସ୍ତୁତି କରାଯାଇଛି । ଏହା ସହ ତାଙ୍କ ପ୍ରଂଶସକ ମାନେ ମଧ୍ୟ ଅପେକ୍ଷା କରି ରହିଛନ୍ତି ।