ରାଞ୍ଚି: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ପରେ ରାଷ୍ଟ୍ରପତି ନିର୍ବାଚନରେ ଝାଡ଼ଖଣ୍ଡର ଶାସକ ଦଳ JMM(Jharkhand Mukti Morcha) କାହାକୁ ସମର୍ଥନ ଦେବ ସେନେଇ ନିଷ୍ପତ୍ତି ନେବ । ଏହାକୁ ନେଇ JMM ପକ୍ଷରୁ ସୂଚନା ଦିଆଯାଇଛି । ଖୁବଶୀଘ୍ର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଷ୍ଟ୍ରପତି ନିର୍ବାଚନ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବେ ।
ଗୃହମନ୍ତ୍ରୀ ଅମିତ ଶାହ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆଲୋଚନା ପରେ JMM କେଉଁ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ତାହା ସ୍ପଷ୍ଟ ହେବ । ତେବେ ଦଳ ସଭାପତି ଶିବୁ ସୋରେନ୍ ଏହାକୁ ନେଇ ଶେଷ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଦଳର ତୁଙ୍ଗ ନେତା । ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କୌଣସି ନିଷ୍କର୍ସରେ ପହଞ୍ଚି ପାରୁନାହିଁ JMM ।
ବର୍ତ୍ତମାନ ସ୍ଥିତିରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ବା ଅସମର୍ଥନ କୌଣସି ପ୍ରଭାବ ପକାଇବ ନାହିଁ । କାରଣ ଏହାପୁର୍ବରୁ ମାୟାବତୀ BSP, ନବୀନ ପଟ୍ଟନାୟକଙ୍କ BJD ଓ YSR କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରି ସାରିଛନ୍ତି । ଏଭଳି ସ୍ଥିତି ମିଳିତ ବିରୋଧୀକ୍ୟାମ୍ପ ଛାଡ଼ି NDA ପ୍ରାର୍ଥିନୀଙ୍କୁ ସମର୍ଥନ ଦେବା କେତେ ଦୂର ଯଥାର୍ଥ ହେବ ତାହା ପ୍ରଶ୍ନବାଚୀ ହୋଇ ରହିଛି ।