ଶ୍ରୀନଗର: ଜମ୍ମୁକାଶ୍ମୀରର ରଜୌରୀ ଜିଲ୍ଲାର ହାଇୱେ ନିକଟରୁ ଏକ ପେଟିରୁ ପୋଲିସ ସନ୍ଦିଗ୍ଧ ବିସ୍ଫୋରକ ଉପକରଣ ବା ଆଇଇଡି ବୋମାକୁ ବୁଧବାର ଉଦ୍ଧାର କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।
ଜମ୍ମୁ-ପୁଞ୍ଚ ହାଇୱେ ନିକଟସ୍ଥ ମଞ୍ଜିକୋଟ ଅଞ୍ଚଳରେ ଏକ ନାଳ ପାଖରେ କାଠ ବାକ୍ସ ବା ପେଟିରେ ସନ୍ଦେହଜନକ ଅବସ୍ଥାରେ ପ୍ରେସର କୁକର ରଖାଯାଇଥିବା ପୋଲିସ ବୁଧବାର ସକାଳେ ଦେଖିବାକୁ ପାଇଥିଲା । ତେବେ ଏହା ଆଇଇଡି ବୋମା ହୋଇପାରେ ବୋଲି ସନ୍ଦେହ କରି ପୋଲିସ ଏହାକୁ ଉଦ୍ଧାର କରିଛି ।
ଏହି ଅଞ୍ଚଳରୁ ବୋମାଟି ମିଳିବା ପରେ ସ୍ଥାନୀୟ ଅଞ୍ଚଳର ରାସ୍ତାରେ ଯାନବାହନ ଚଳାଚଳ କମିଯାଇଥିବା ଲକ୍ଷ୍ୟ କରାଯାଇଛି । ସେପଟେ ବୋମାକୁ ଅକାମୀ କରିବା ପାଇଁ ବିଶେଷଜ୍ଞ ଦଳକୁ ପୋଲିସ ଖବର ଦେଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ