ଜୟପୁର: ପୁଣି ଭାରତୀୟ ଯବାନଙ୍କ ଉଦାରତାର ଦୃଶ୍ୟ । ରାଜସ୍ଥାନର ବାରମର ସୀମାରେ ହଠାତ୍ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଜଣେ 8 ବର୍ଷୀୟ ପାକିସ୍ତାନୀ ନାବାଳକକୁ ଭାରତୀୟ ଯବାନ ପାକିସ୍ତାନକୁ ହସ୍ତାନ୍ତର କରିଛନ୍ତି । ଏହାସହ ଶିଶୁଟିକୁ ଖାଇବାକୁ ଦେଉଥିବା ଦୃଶ୍ୟ ଏବେ ସମସ୍ତଙ୍କ ହୃଦୟ ଜିତିଛି । ଯବାନମାନେ ଶୁକ୍ରବାର ରାତିରେ ପିଲାଟିକୁ ପାକିସ୍ତାନୀ ରେଞ୍ଜର୍ସକୁ ହସ୍ତାନ୍ତର କରିଛନ୍ତି ।
ପ୍ରକାଶଥାଉକି, ଶୁକ୍ରବାର ଅପରାହ୍ନ ପ୍ରାୟ 5 ଟା ସମୟରେ ବାଳକ ବାରମର୍ ସୀମାରେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିଲା । ଏଥିରେ ପିଲାଟି ଭୟଭୀତ ହୋଇ କାନ୍ଦିବାକୁ ଲାଗିଲା । ଏହି ସମୟରେ ଯବାନମାନେ ତାକୁ ଫେରିଯିବାକୁ କହିଥିଲେ। ବହୁ ଚେଷ୍ଟା ପରେ ଯବାନମାନେ ତାଙ୍କୁ ଶାନ୍ତ କରିବାରେ ସଫଳ ହୋଇଥିଲେ ଏବଂ ଶିଶୁଟିକୁ ଖାଇବାକୁ ଦେଇଥିଲେ । ପିଲାଟି କହିଥିଲା ଯେ ସେ ଭୁଲରେ ସୀମା ପାର କରିଛି । ବିଏସଏଫ ରାତି ପ୍ରାୟ 7.30 ସମୟରେ ପାକିସ୍ତାନ ରେଞ୍ଜର୍ସଙ୍କ ସହ ଏକ ବୈଠକ ଡାକି ନାବାଳକକୁ ହସ୍ତାନ୍ତର କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ