ଶ୍ରୀନଗର: ଘାଟିରେ ଥମୁନି ରକ୍ତପାତ । ଯବାନଙ୍କ ରକ୍ତରେ ଭିଜୁଛି ମାଟି । ଜମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜାରି ରହିଛି ଗୁଳିବିନିମୟ । ଏହାରି ମଧ୍ୟରେ ଜଣେ ଜେସିଓ Junior Commissioned Officer (JCO) ଶହୀଦ ହୋଇଯାଇଥିବାବେଳେ ୨ ଯବାନ ଆହତ ଥିବାନେଇ ସୂଚନା ମିଳିଛି ।
ଜେସିଓଙ୍କ ଶହୀଦ ହେବାନେଇ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁରୁବାର ସଂଧ୍ୟାରୁ ହିଁ ଜାରି ରହିଛି ଏନକାଉଣ୍ଟର, ଯାହାଫଳରେ ରଜୌରୀ-ପୁଞ୍ଚ ରାସ୍ତାରେ ଯାନବାହନ ଯାତାୟତ ଉପରେ ରୋକ ଲଗାଇଦିଆଯାଇଛି ।
ଏହାପୂର୍ବରୁ ୧୧ ଅକ୍ଟୋବରରେ ଜମ୍ମୁ କାଶ୍ମୀରରେ ବଡ଼ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ୫ ଯବାନ ଶହୀଦ ହୋଇଥିଲେ । ପୁଞ୍ଚ ଜିଲ୍ଲାର ସୁରାନକୋଟ ନିକଟସ୍ଥ ଦାରା କି ଗଲି ଅଞ୍ଚଳରେ ହୋଇଥିଲା ଏହି ଗୁଳି ବିନିମୟ । ଯବାନଙ୍କ ପକ୍ଷରୁ ପ୍ରଥମେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୫ ଜଣ ଯବାନଙ୍କ ଶରୀରରେ ଗୁଳି ବାଜିବା କାରଣରୁ ଶହୀଦ ହୋଇଥିଲେ ।
ନିକଟରେ ଜମ୍ମୁ କାଶ୍ମୀରରେ ହିନ୍ଦୁ ଓ ଶିଖମାନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କ ହତ୍ୟା କରିବା ପରେ ସେନା ନିଜ ଅପରେସନର ଗତି ବଢାଇଦେଇଛି ।