ଶ୍ରୀନଗର: ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରୁ ଜଣେ ଲସ୍କର-ଏ-ତୋଏବା (LeT) ଆତଙ୍କୀଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ଗୋଟିଏ ପିସ୍ତଲ, ଦୁଇଟି ମାଗାଜିନ ଓ ୯ ରାଉଣ୍ତ ଗୁଳି ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଗିରଫ ଆତଙ୍କୀ ଜଣକ ହେଲେ ସାଜନ ବଜରନି ଗାଁର ବାସିନ୍ଦା ଆଦିଲ ଇକବାଲ ବଟ । ଜମ୍ମୁ କାଶ୍ମୀରର ଥାତ୍ରି ଚେକପୋଷ୍ଟରେ ପୋଲିସ, ରାଷ୍ଟ୍ରୀୟ ରାଇଫଲ୍ସ ଓ ଏସଏସବି ପକ୍ଷରୁ ଗାଡି ଗୁଡିକ ଯାଞ୍ଚ କରାଯାଉଥିଲା । ଏହି ସମୟରେ ପୋଲିସ ତାଙ୍କୁ କାବୁ କରିଥିଲା ।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଗିରଫ ଆତଙ୍କୀ ଜଣକ ମହମ୍ମଦ ଅମିନ ଆଲିସଙ୍କ ସହ ଲିଙ୍କରେ ରହିଥିଲା । ମହମ୍ମଦ ଅମିନ ଡୋଡାର ଆତଙ୍କବାଦୀ ହୋଇଥିବାବେଳେ ପାକିସ୍ତାନରେ ମଧ୍ୟ ନିଜ ଆତଙ୍କୀ ସଂଗଠନକୁ ଚଳାଉଛି । ଏନେଇ ତାତ୍ରି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ପୋଲିସ ଅଧିକାରୀ ।