ଲକ୍ଷ୍ନୌ: ଭାରତୀୟ ସଂସ୍କୃତିର ମହତ୍ତ୍ବ, ଲୋକପ୍ରିୟତା ବିଦେଶରେ ମଧ୍ୟ ରହିଛି । ସେ ଭାରତୀୟ ନାଚଗୀତଠୁ ଆରମ୍ଭ କରି ପାରମ୍ପରିକ ବେଶଭୂଷା, ଅଳଙ୍କାର, କଳା ସ୍ଥାପତ୍ୟ ଐତିହ୍ୟ ବିଦେଶ ମାଟିରେ ମଧ୍ୟ ବେଶ ଆଦୃତ ଲାଭ କରିଛି । ଅନେକ ବିଦେଶୀ ଭାରତୀୟ ସଂସ୍କୃତିକୁ ଗ୍ରହଣ କରୁଥିବାର ମଧ୍ୟ ନଜିର ରହିଛି । ଯାହାର ଏକ ଝଲକ ପବିତ୍ର ଭୂମି ବାରଣାସୀରେ ଦେଖିବାକୁ ମିଳିଛି । ଯେଉଁଠି ଜଣେ ଇଟାଲୀ ମହିଳା ଗଙ୍ଗାଘାଟରେ ନିଜ ମାଆଙ୍କ ଶୁଦ୍ଧିକ୍ରିୟା କରିବା ସହିତ ପିଣ୍ଡଦାନ କରିଛନ୍ତି ।
ମୃତ୍ୟୁ ପରେ ଶାନ୍ତି ଓ ପରିତ୍ରାଣ ପ୍ରାପ୍ତ କରିବା ଲାଗି ଅନେକ ଗଙ୍ଗାଘାଟରେ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି । ଏହି ପବିତ୍ର ସ୍ଥଳୀରେ ପିଣ୍ଡଦାନ କଲେ ପିତୃ ପୁରୁଷଙ୍କୁ ସ୍ବର୍ଗ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ଭାରତରେ କାହିଁ ଅନାଦି କାଳରୁ ପ୍ରଚଳିତ ହୋଇଆସୁଥିବା ଏହି ପରମ୍ପରା ବିଦେଶରେ ମଧ୍ୟ ପହଞ୍ଚିଛି । ୩୮ ବର୍ଷୀୟ ଇଟାଲୀ ମହିଳା ମଦ୍ରିନା ନିଜ ମୃତ ମାଆ (ଆଲେକ୍ସ ସାଣ୍ଡ୍ରା)ଙ୍କ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ପାଇଁ ବାରଣାସୀରେ ପହଞ୍ଚିଛନ୍ତି । ମଦ୍ରିନାଙ୍କ ମାଆ ଆଲେକ୍ସ ୭୨ ବର୍ଷରେ ମୃତ୍ୟୁବରଣ କରିଥିଲେ । ଏହାପରେ ସେ ପିଣ୍ଡଦାନ ପାଇଁ ଦଶ୍ବାସମେଧଘାଟରେ ପହଞ୍ଚିଛନ୍ତି ।
ଏହା ବି ପଢନ୍ତୁ- Watch: ବାରଣାସୀରେ ମରିସସ ପ୍ରଧାନମନ୍ତ୍ରୀ, ଗଙ୍ଗାରେ ଶ୍ବଶୁରଙ୍କ କଲେ ଅସ୍ଥି ବିସର୍ଜନ
ମଦ୍ରିନା ପେଶାରେ ଜଣେ ପେଣ୍ଟର ଓ ପିଆନୋ ମଧ୍ୟ ଶିଖିଛନ୍ତି । ତେବେ ତାଙ୍କ ମାଆଙ୍କ ଶେଷ ଇଚ୍ଛା ପୂରଣ କରିବା ଲାଗି ସେ କାଶୀ ସ୍ଥିତ ଦଶ୍ବାସମେଧଘାଟରେ ପିଣ୍ଡଦାନ କରିଛନ୍ତି । ହିନ୍ଦୁ ସଂସ୍କୃତିରେ ମୃତ୍ୟୁକୁ ନେଇ ଭାରତୀୟଙ୍କ ମଧ୍ୟରେ ଥିବା ବିଶ୍ବାସ ସମ୍ପର୍କରେ ସେ ଜାଣିବା ପରେ ବେଶ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ସେ ଏ ନେଇ କହିଛନ୍ତି, " ମୋ ମାଆଙ୍କ ଅନ୍ତିମ ସଂସ୍କାର ଘରର ପଛ ପାର୍ଶ୍ବରେ ହୋଇଥିଲା । ହେଲେ ତାଙ୍କ ଆତ୍ମାର ସଦଗତି ଲାଗି ମୋତେ ବାରଣାସୀ ଆସିବାକୁ ପଡ଼ିଲା । ଏହା ତାଙ୍କର ଶେଷ ଇଚ୍ଛା ଥିଲା ।" ଖାଲି ଏହି ଇଟାଲୀ ମହିଳା ନୁହେଁ, ବିଦେଶରୁ ଅନେକ ବ୍ୟକ୍ତି ଆତ୍ମୀୟସ୍ବଜନଙ୍କ ଆତ୍ମାର ସଦଗତି ପାଇଁ ବାରଣାସୀ ଆସିଥାନ୍ତି । ଏଠାରେ ପିଣ୍ଡଦାନ କଲେ ଆତ୍ମାକୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ଏହି ପିଣ୍ଡଦାନ ଲାଗି ସେଠାରେ ସ୍ବତନ୍ତ୍ର ପୂଜକ ରହିଥାନ୍ତି । ସେମାନେ ମନ୍ତ୍ରପାଠ ଓ ପାରମ୍ପରିକ ନୀତି ସହିତ ପିଣ୍ଡଦାନ କରାଇଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ