ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦକୁ ନେଇ କଣ ହୋଇଛି ଅଗ୍ରଗତି ? ମାମଲାର କେବେ ଆସିବ ଚୂଡାନ୍ତ ରାୟ ? ଏମିତି ମହାନୀଦ ଜଳ ବିବାଦ ପ୍ରସଙ୍ଗକୁ ନେଇ (ସୋମବାର) ରାଜ୍ୟସଭାରେ ଏକ ଅଣତାରକ ପ୍ରଶ୍ନ ଜରିଆରେ ଜାଣିବାକୁ ଚାହିଁଥିଲେ ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର । ସସ୍ମିତଙ୍କ ପ୍ରଶ୍ନର ଉତ୍ତର ଦେଇ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି ମାମଲାର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି ।
ଜଳଶକ୍ତି ମନ୍ତ୍ରୀ କହିଛନ୍ତି ଗତ ଛଅ ମଧ୍ୟରେ ଟ୍ରିବ୍ୟୁନାଲ କମନ ଡାଟା ଫର୍ମାଟକୁ ଚୂଡାନ୍ତ କରିଛନ୍ତି । ମାମଲାରେ ପକ୍ଷଭୁକ୍ତ ଥିବା ରାଜ୍ୟମାନଙ୍କର ଅନୁରୋଧ କ୍ରମେ ୧୭ ଟି ଅଣ-ଆବେଦନକାରୀଙ୍କ ପାଖରୁ ଆବଶ୍ୟକୀୟ ତଥ୍ୟ ଓ ଦସ୍ତାବିଜ ପାଇଁ ନୋଟିସ ଜାରି କରିଛନ୍ତି। ସେହିପରି ମନ୍ତ୍ରୀ କହିଛନ୍ତି ଆନ୍ତଃରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ ଧାରା ୪ ଅନୁସାରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଗତ ମାର୍ଚ୍ଚ ୨୦୧୮ରେ ହୋଇଥିଲା । ମାମଲା ବର୍ତ୍ତମାନ ଟ୍ରିବ୍ୟୁନାଲଙ୍କ ପାଖରେ ବିଚାରଧିନ ଅଛି । ଏହାସହ ମନ୍ତ୍ରୀ ସମ୍ପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ମାମଲା ଆନ୍ତଃରାଜ୍ୟ ଜଳବିବାଦ ଆଇନର ଧାରା ୫(୨) ଅନୁଯାୟୀ ଟ୍ରିବ୍ୟୁନାଲରେ ବିଚାରାଧୀନ ଅଛି । ଏହାବାଦ ଟ୍ରିବ୍ୟୁନାଲ ଗଠନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଥର ଶୁଣାଣି ହୋଇଥିବା ବେଳେ ଶେଷ ଶୁଣାଣି ଗତ ଜୁନ ୨୬ ରେ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ