ନୂଆଦିଲ୍ଲୀ: DRDO ପରେ ମହାମାରୀ କୋରୋନା ଯୁଦ୍ଧରେ ଆଗକୁ ଆସିଛି ଦେଶର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । କୋରୋନାର ଦ୍ବିତୀୟ ଲହରୀ ସମୟରେ ଦେଶର ଅନେକ ରାଜ୍ୟରେ ଭେଣ୍ଟିଲେଟର ଓ ଅକ୍ସିଜେନ କନସେଣ୍ଟ୍ରେଟରର ଆବଶ୍ୟକତା ବଢିଚାଲିଛି । ଆଉ ଏହାକୁ ବିଦେଶରୁ ଆମଦାନୀ କରିବାକୁ ପଡୁଛି ।
ଏଭଳି ସମୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା କମ ଖର୍ଚ୍ଚରେ ନିର୍ମିତ 3ଟି ଭିନ୍ନଭିନ୍ନ ପ୍ରକାରର ଭେଣ୍ଟିଲେଟର ବିକଶିତ କରିଛି । ଏହାସହ କମ ମୂଲ୍ୟର ଅକ୍ସିଜେନ କନସେଣ୍ଟ୍ରେଟର ମଧ୍ୟ ତିଆରି କରିଛି ଇସ୍ରୋ । ଡିଜାଇନ ଓ ବିଶେଷତା ଆଧାରରେ ଏହି 3 ଭେଣ୍ଟିଲେଟରକୁ ପ୍ରାଣ, ବାୟୁ, ସ୍ବାସ୍ଥ୍ୟ ନାଁ ଦିଆଯାଇଛି । ଏହି 3 ଭେଣ୍ଟିଲେଟର ସମ୍ପୂର୍ଣ୍ଣ ଅଟୋମେଟିକ ଏଥିରେ ଟଚ ସ୍କ୍ରିନ ଉପଲବ୍ଧ ରହିଛି ।
ପ୍ରାଣ ଭେଣ୍ଟିଲେଟର, AMBU( ଆର୍ଟିଫିସିଆଲ ମ୍ୟାନୁଆଲ ବ୍ରିଦିଙ୍ଗ ୟୁନିଟ) ଜରିଆରେ ରୋଗୀଙ୍କୁ ଅକ୍ସିଜେନ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି । ସେହିପରି ସ୍ବାସ୍ଥ୍ୟକୁ ବିନା ବିଦ୍ୟୁତରେ କାମ କରିବା ନେଇ ଡିଜାଇନ କରାଯାଇଛି । ଆଉ ବାୟୁ କମ ଖର୍ଚ୍ଚରେ ନିର୍ମିତ ଭେଣ୍ଟିଲେଟର ଯାହା ବ୍ୟବସାୟିକ ରୂପେ ଉପଲବ୍ଧ ଭେଣ୍ଟିଲେଟର ସହ ସମାନ ।