ହାଇଦ୍ରାବାଦ: ହାଇଦ୍ରାବାଦରୁ ଆଇଏସଆଇଏସ(ISIS) ଆତଙ୍କୀ ସଙ୍ଗଠନର ସମର୍ଥକ ଗିରଫ । ଶନିବାର ସାଇବର କ୍ରାଇମ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ ହେଉଛି ମହମ୍ମଦ ଆବୁସାନି(Mohammad Abusani) ଏବଂ ସେ ଓଲ୍ଡ ସିଟି ହାଇଦ୍ରାବାଦର ଫଲକନୁମା ଅଞ୍ଚଳର ବାସିନ୍ଦା ହୋଇଥିବା ପରିଚୟ ମିଳିଛି । ମହମ୍ମଦ ସୋସିଆଲ ମିଡିଆ ମାଧ୍ୟମରେ ISIS ଆତଙ୍କୀ ସଙ୍ଗଠନ ନାଁରେ ଯୁବବର୍ଗକୁ ଆତଙ୍କବାଦ ଆଡକୁ ଆକର୍ଷିତ କରୁଥିଲା । ଗତ କିଛି ଦିନ ଧରି ସେ ଏହି କାର୍ଯ୍ୟ କରିଆସୁଥିବା ପୋଲିସ କହିଛି । ଏନେଇ ସୂଚନା ପାଇବା ମାତ୍ରେ ଅଭିଯୁକ୍ତର ଆଇପି ଠିକଣାକୁ(IP addresses) ଆଧାର କରି ସାଇବର କ୍ରାଇମ ପୋଲିସ ତାକୁ ଧରିବାରେ ସଫଳ ହୋଇଛି ।
ସାରା ବିଶ୍ବରେ ଯୁବକମାନଙ୍କୁ ଜିହାଦ ପାଇଁ ପ୍ରସ୍ତୁତ କରୁଥିବା ISIS ସଙ୍ଗଠନ ସହ ମହମ୍ମଦ ଆବୁସାନି ଯୋଗାଯୋଗରେ ଥିଲା । ସେ ନିଜର ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଜିହାଦ ସପକ୍ଷରେ କରିବାକୁ ସୋସିଆଲ ମିଡିଆରେ ଭିଡିଓ ପଠାଉଥିଲା । ଏପରିକି ଅଭିଯୁକ୍ତ ହୱାଲା ମାଧ୍ୟମରେ ISIS ଠାରୁ ପାଣ୍ଠି ସଂଗ୍ରହ କରୁଥିବାର ସୂତ୍ରରୁ ସୂଚନା ମିଳିଛି । ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଆଧାରରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ