ଚଣ୍ଡୀଗଡ଼: ଆତଙ୍କୀ ଲିଙ୍କ୍ ମାମଲାରେ ପଞ୍ଜାବରୁ ISI ଏଜେଣ୍ଟକୁ ଗିରଫ କଲା ଉତ୍ତରପ୍ରଦେଶ ATS । ଅଟୋଚାଳକ ସାଜି ଭାରତୀୟ ସେନାର ଗୁପ୍ତତଥ୍ୟ ଶତ୍ରୁଦେଶକୁ ଦେବା ଅଭିଯୋଗରେ ଅଭିଯୁକ୍ତ ଅମୃତ ପାଲକୁ ଗିରଫ କରାଯାଇଛି । ଭାରତୀୟ ସେନା ଟ୍ୟାଙ୍କରରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ସମ୍ବନ୍ଧରେ ଅନେକ ସମ୍ବେଦନଶୀଳ ତଥ୍ୟ ସେ ISI ଏଜେଣ୍ଟଙ୍କୁ ଦେଉଥିବାର ଜାଣିବାକୁ ପାଇଛି ATS । ଏହାସହ ISI ସହ ଟଙ୍କା ନେଣଦେଣ କରୁଥିବା ଗାଜିଆବାଦର ରିୟାଜୁଦ୍ଦିନଙ୍କୁ ମଧ୍ୟ ଗିରଫ କରାଯାଇଛି । ରିୟାଜୁଦ୍ଦିନ ଆକାଉଣ୍ଟକୁ ପାକିସ୍ତାନରୁ ଲକ୍ଷ ଲକ୍ଷ ଟଙ୍କା ଆସିଥିବାର ମଧ୍ୟ ସୁରାକ ମିଳିଛି । ଏହି ଟେରର୍ ଫଣ୍ଡିଂ ମାମଲାରେ ପୂର୍ବରୁ ୱସିହ୍ଲା ନାମକ ଜଣେ ବ୍ୟକ୍ତିଙ୍କୁ ଲକ୍ଷ୍ନୌରୁ ଗିରଫ କରାଯାଇଥିଲା ।
ସ୍ପେଶାଲ ଡିଜି ପ୍ରଶାନ୍ତ କୁମାର କହିଛନ୍ତି, "ଭାରତରେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି(ISI) ପାଇଁ କାମ କରୁଥିବା ଗୁପ୍ତଚରମାନଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି । ସେମାନଙ୍କ ବିଷୟରେ ସୂଚନା ସଂଗ୍ରହ କରୁଛନ୍ତି । ଏଜେନ୍ସି ଦ୍ବାରା କରାଯାଉଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ମାର୍ଚ୍ଚ 2022ରୁ ଏପ୍ରିଲ 2022 ମଧ୍ୟରେ ଗାଜିଆବାଦ ନିବାସୀ ରିୟାଜୁଦ୍ଦିନ ଏବଂ ବିହାରର ଇଜାରୁଲଙ୍କ ଆକାଉଣ୍ଟକୁ 70 ଲକ୍ଷ ଟଙ୍କା ଆସିଛି । ଏହି ଟଙ୍କା ଭିନ୍ନ ଭିନ୍ନ ବ୍ୟାଙ୍କ ଆକଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।"
ଯାଞ୍ଚ ବେଳେ ATS ଜାଣିବାକୁ ପାଇଛି ଯେ, ପଞ୍ଜାବରେ ରହୁଥିବା ଅମୃତ ଗିଲ ନାମକ ଆଉ ଜଣେ ଅଟୋଚାଳକଙ୍କୁ ମଧ୍ୟ ରିୟାଜଉଦ୍ଦିନ ଆକାଉଣ୍ଟରୁ ଟଙ୍କା ପଠାଯାଇଥିଲା । ତେବେ ଅମୃତ ଗିଲ ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର ବାବଦୀୟ ଗୁପ୍ତ ତଥ୍ୟ ପାକିସ୍ତାନୀ ଆତଙ୍କୀଙ୍କୁ ପଠାଉଥିଲା । ସତ ସାମନାକୁ ଆସିବା ପରେ ATS ଟିମ୍ ପଞ୍ଜାବର ଭାଠିଣ୍ଡାରୁ ଅମୃତ ଗିଲକୁ ଗିରଫ କରି ଟ୍ରାନଜିଟ୍ ରିମାଣ୍ଡରେ ନେଇଛି ।
ସେପଟେ ATS ଏଡିଜି ମୋହିତ ଅଗ୍ରୱାଲ କହିଛନ୍ତି, "ଏଜେଣ୍ଟମାନଙ୍କୁ ଟଙ୍କା ଟ୍ରାନ୍ସଫର କରିଥିବା ରିୟାଜୁଦ୍ଦିନ ଏବଂ ଇଜହାରୁଲ ୱେଲ୍ଡିଂ କାମ କରୁଥିଲେ । ସେହି ସମୟରେ ସେମାନେ ରାଜସ୍ଥାନରେ ପରସ୍ପର ସହ ସଂସ୍ପର୍ଶରେ ଆସିଥିଲେ । ସେବେଠାରୁ ଦୁହେଁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସିରେ କାର୍ଯ୍ୟ କରୁଛନ୍ତି । ଅମୃତ ଗିଲ ପୂର୍ବରୁ ISI ଏଜେଣ୍ଟମାନଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ଭାରତୀୟ ସେନା ସହ ଜଡ଼ିତ ସମ୍ବେଦନଶୀଳ ସୂଚନା ପଠାଉଥିଲେ ବୋଲି ରିୟାଜୁଦ୍ଦିନଙ୍କୁ ପଚରାଉଚରାବେଳେ ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା । ଏହି କାର୍ଯ୍ୟ ବଦଳରେ ISI ଏଜେଣ୍ଟମାନେ ରିୟାଜୁଦ୍ଦିନ ଏବଂ ଇଜାହାରୁଲଙ୍କ ସାହାଯ୍ୟରେ ଅମୃତଙ୍କୁ ଟଙ୍କା ପଠାଉଥିଲେ । ଇଜାହାରୁଲ ବର୍ତ୍ତମାନ ବିହାରର ବେଟିହା ଜେଲ୍ରେ ଅଛି । ଏହି ନେଟୱାର୍କରେ ଆଉ କେଉଁମାନେ ଜଡିତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି ।